ବାଛୁରୀପଡ଼ାରେ ବାଣ କାରଖାନା ଠାବ: ୫ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ, ୨ ଗିରଫ

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ରୂପ୍‌ସା ନିକଟସ୍ଥ ବୈଶିଙ୍ଗା ଥାନା ବାଛୁରୀପଡ଼ା ଗାଁରେ ବେଆଇନ ବାଣ କାରଖାନା ଠାବ ହୋଇଛି। ସ୍ବତନ୍ତ୍ର ପୋଲିସ ଟିମ୍‌ ପକ୍ଷରୁ ବୁଧବାର ଓ ଗୁରୁବାର ୨ଦିନ ଧରି ଲଗାତର ଭାବେ ଚଢ଼ାଉ କରାଯାଇ ୫ଲକ୍ଷ ଟଙ୍କାର ବାଣ, ବାରୁଦ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏଥିସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୧୦ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଛୁରୀପଡା ଗ୍ରାମର ବରେନ ସାହୁ ଓ ଲକ୍ଷ୍ମୀଧର ସାହୁ। ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସମଗ୍ର ରାଜ୍ୟରେ ବାଣ, ବାରୁଦର ଗାଁ ଭାବେ ପରିଚିତ ବାଛୁରୀପଡ଼ାରେ ବର୍ଷ ବର୍ଷ ଧରି ବେଆଇନ ବାଣ କାରବାର ଚାଲୁ ରହିଛି। ଜଣେ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ କରାଯାଇ ଅଧିକାଂଶ ଗ୍ରାମବାସୀ ବାଣ ବ୍ୟବସାୟଙ୍କୁ ଜୀବିକା ରୂପେ ଆପଣାଇ ଅବାଧରେ ବାଣ ନିର୍ମାଣ କରି ଆସୁଛନ୍ତି। ଚଳିତବର୍ଷ ବାଣ ନିର୍ମାଣ ଓ ବ୍ୟବସାୟ ପ୍ରତି ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ତାଗିଦ୍‌ ଅନୁଯାୟୀ ବିଭିନ୍ନ ଜିଲାରେ ବାଣ ବିସ୍ଫୋରଣ ଦୁର୍ଘଟଣା ରୋକିବା ଦିଗରେ ପୋଲିସ ଓ ପ୍ରଶାସନ ଏବେ ସଜାଗ ଥିବାରୁ ବେଆଇନ୍‌ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ବେତନଟୀ ଏସ୍‌ଡ଼ିପିଓ ଲଳିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆଇଆଇସି ପର୍ଶୁରାମ ସାହୁ, ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ, ଏସ୍‌ଆଇ ଅନୀତା ସ୍ବାଇଁ ଓ ଶିରୀଶ କୁମାର ନାୟକ ପ୍ରମୁଖ ୨ ପ୍ଲାଟୁନ ଫୋର୍ସ ସହ ବାଛୁରୀପଡ଼ା ଗାଁରେ ଚଢ଼ାଉ କରିଥିଲେ। ବୁଧବାର କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇ ନ ଥିଲେ ମଧ୍ୟ ଗୁରୁବାର ୨ଜଣ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲେ।