Categories: ଜାତୀୟ

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି। କିନ୍ତୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି କେ.ଆର୍‌. ରମେଶ କୁମାର ଏହାକୁ ଅବଜ୍ଞା କରିଥିବା କୁହାଯାଉଛି। ତେବେ ବାଚସ୍ପତିଙ୍କୁ ରାଜ୍ୟପାଳ ଏଭଳି ନିର୍ଦ୍ଦେଶ ଦେଇପାରିବେ କି ନାହିଁ ସେ ନେଇ ବିବାଦ ଓ ବିତର୍କ ମୁଣ୍ଡ ଟେକିଛି। ଏହି ପରିପ୍ରେକ୍ଷୀରେ ୨୦୧୬ରେ ଅରୁଣାଚଳ ପ୍ରଦେଶ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଅବତାରଣା କରାଯାଇପାରେ। ରାଜ୍ୟପାଳ ବାଚସ୍ପତିଙ୍କ ଗାଇଡ୍‌ (ମାର୍ଗଦର୍ଶକ) ବା ମେଣ୍ଟର (ଅଭିଜ୍ଞ ଉପଦେଷ୍ଟା) ନୁହନ୍ତି। ତେଣୁ ସେ ବାଚସ୍ପତିଙ୍କ କାର୍ଯ୍ୟଧାରାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।
ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଜେ.ପି. ରାଜଖୋଓ୍ବା ଆସ୍ଥାଭୋଟ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଜେ.ଏସ୍‌. ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଅରୁଣାଚଳର ନବାମ ତୁକିଙ୍କ ନେତୃତ୍ୱାଧୀନ ବରଖାସ୍ତ ହୋଇଥିବା କଂଗ୍ରେସ ସରକାରଙ୍କୁ ପୁନଃ ଅବସ୍ଥାପିତ କରିଥିଲେ। ଏହାସହ ସମ୍ବିଧାନ ଅନୁସାରେ ରାଜ୍ୟପାଳଙ୍କୁ ତାଙ୍କ କ୍ଷମତାର ପରିସର ବତାଇଦେଇଥିଲେ। ଖଣ୍ଡପୀଠ କହିଥିଲେ, ରାଜ୍ୟପାଳ ବାଚସ୍ପତିଙ୍କ ଗାଇଡ୍‌ ଅଥବା ମେଣ୍ଟର ନୁହନ୍ତି। ବାଚସ୍ପତି ଓ ରାଜ୍ୟପାଳଙ୍କ ସ୍ବାଧୀନ ସାମ୍ବିଧାନିକ ଉତ୍ତରଦାୟିତ୍ୱ ରହିଛି। ତେଣୁ ବାଚସ୍ପତି କିମ୍ବା ଉପବାଚସ୍ପତି ଗୃହକୁ କିପରି ପରିଚାଳନା କରିବେ ତାହା ତାଙ୍କ ଉପରେ ନିର୍ଭର କରେ। ବାଚସ୍ପତିଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବାର ଅଧିକାର ରାଜ୍ୟପାଳଙ୍କ ନାହିଁ। ଏକ ସଂଖ୍ୟାଗରିଷ୍ଠ ସରକାର ଜରିଆରେ ବିଧାନସଭାର ଗଣତାନ୍ତ୍ରିକ ପ୍ରକ୍ରିୟା ଚାଲିଥିବାବେଳେ ରାଜ୍ୟପାଳ ସେଥିରେ ହସ୍ପକ୍ଷେପ କରିପାରିବେ ନାହିଁ। ସେ ନିଜକୁ କୌଣସି ରାଜନୈତିକ ଗୋଷ୍ଠୀ ମଧ୍ୟରେ ଆବଦ୍ଧ କରିପାରିବେ ନାହିଁ। କୌଣସି ରାଜନୈତିକ ଦଳର ଅସହମତି, ଅସନ୍ତୋଷ, ଅମେଳ ବା କନ୍ଦଳରୁ ରାଜ୍ୟପାଳ ନିଜକୁ ଦୂରେଇ ରଖିବା ଜରୁରୀ। ଏକ ରାଜନୈତିକ ଦଳର କାର୍ଯ୍ୟକଳାପ, ସମସ୍ୟା ବା ଦଳ ମଧ୍ୟରେ ଅଶାନ୍ତି ରାଜ୍ୟପାଳଙ୍କ ଚିନ୍ତାର ଊର୍ଦ୍ଧ୍ୱରେ। ତେଣୁ ଘୋଡ଼ାବେପାର ଚାଲିଥିଲେ ଏପରି କି ଅରୁଚିକର ରାଜନୈତିକ ଘଟଣାକ୍ରମ ଘଟୁଥିଲେ ଏହାର ନୈତିକତା ଯାହା ହେଉନା କାହିଁକି ରାଜ୍ୟପାଳ ସେଥିରୁ ଦୂରେଇ ରହିବା ଉଚିତ ବୋଲି ଖଣ୍ଡପୀଠ ଏକ ଐତିହାସିକ ରାୟ ଦେଇଥିଲେ।

Share