ବାଙ୍ଗାଲୋରରେ ଫସିଛନ୍ତି ଓଡ଼ିଆ: ବିସ୍କୁଟ ଖାଇ ବିତୁଛି ଦିନ

ବିଶୋଇ,୩୦ା୩(ଡି.ଏନ୍‌.ଏ.)- ‘ସାର ଆମକୁ ଆମ ଘରକୁ ନେଇ ଯାଆନ୍ତୁ। ଘର କଥା ମନେ ପଡୁଛି । ପାଖରେ ଟଙ୍କା ନାହିଁ ବିସ୍କୁଟ ଖାଇ ଦିନ କଟୁଛି’ ଏହିଭଳି କୋହଭରା କଣ୍ଠରେ ଗୁହାରି କରିଛନ୍ତି ବାଙ୍ଗାଲୋରରେ ଫଶି ରହିଥିବା ଓଡ଼ିଆ ଯୁବକମାନେ। ଉଦ୍ଧାର ପାଇଁ ସେମାନେ ସାରସକଣା ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଅଧୀନ ନୂଆଡିହି, ସୁନାପୋଷି ଓ ରାଇହରି ଗ୍ରାମର ବହୁ ଯୁବକ ବାଙ୍ଗାଲୋରର ଏଚଏସବିସି ୩, କେସାନା ବିଜନସ ପାର୍କ ୨,ବିଟି ଇଣ୍ଡିଆ ୨, ୱେଲସ ଫାର୍ଗ ୨, ଓରାକେଲ ୪ ଏବଂ ଇକସ୍ପେସ ୪ ଆଦି କଲସେଣ୍ଟର କମ୍ପାନୀଗୁଡିକରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ତେବେ ଲକଡାଉନ ଯୋଗୁ ସେମାନେ ସେଠାରୁ ଆସି ପାରୁ ନାହାନ୍ତି। କମ୍ପାନୀ ବନ୍ଦ ଥିବାରୁ ସେମାନେ ଦରମା ନ ପାଇ ବହୁ ଅସୁବିଧାରେ ରହିଛନ୍ତି। ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ସେମାନେ ଫୋନ ଯୋଗେ ନିବେଦନ କରିଛନ୍ତି।