ବାଘଛାଲ ସହ ୨ ବେପାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଅବାଧରେ ଚାଲିଛି। ଯେତେ ବାଘଛାଲ ଜବତ ହେଉଛି, ସେତେ ମିଳୁଛି। ମାର୍ଚ୍ଚ ୨୩ରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏକ ବାଘଛାଲ ଜବତ କରିଥିବାବେଳେ ଶୁକ୍ରବାର ଆଉ ଚୋରା ଚାଲାଣ ର଼୍ୟାକେଟକୁ ଠାବ କରିଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରେ ବାଘଛାଲ ବିକ୍ରି କରିବାକୁ ଡିଲ୍‌ ଚାଲିଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ୨ଜଣ ବେପାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଏକ ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାସ ଚନ୍ଦ୍ର ବେହେରା। ଏସ୍‌ଟିଏଫ୍‌ ଆଇପିସି ଧାରା ୩୭୯/୪୧୧, ଆର୍‌/ଡବ୍ଲ୍ୟୁ ୫୧ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ରେ ଏକ ମାମଲା (ନଂ. ୧୧/୨୧) ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜବତ ବାଘ ଛାଲର ବଜାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ଏହାକୁ ପରୀକ୍ଷା ପାଇଁ ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବା ସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଚାଲିଛି।
ତଦନ୍ତବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ, ଗିରଫ ସୁଧୀର ଓ ସୁବାସ ହେଉଛନ୍ତି ସମ୍ପର୍କୀୟ ଭାଇ। ଏମାନେ ନୟାଗଡ଼ ଜଙ୍ଗଲରୁ ଦୀର୍ଘବର୍ଷ ହେବ ବନ୍ୟଜନ୍ତୁଙ୍କ ଶିକାର କରନ୍ତି। ହାତୀ, ବାଘ, ବଜ୍ରକାପ୍ତା ଆଦି ବନ୍ୟଜନ୍ତୁଙ୍କୁ ମାରି ଦାନ୍ତ, ଛାଲ, କାତିକୁ ଚୋରାଚାଲାଣ କରୁଥିଲେ। ଗତ ଗୁରୁବାର ବିଳମ୍ବିତ ରାତିରେ ଦୁହେଁ ବୋଲଗଡ଼ ଅଞ୍ଚଳରେ ବାଘଛାଲ ଧରି ଗ୍ରାହକ ଅପେକ୍ଷାରେ ଥିବାବେଳେ ଖବରପାଇ ଏସ୍‌ଟିଏଫ୍‌ ଟିମ୍‌ର ଜଣେ ଅଫିସର ସେଠାକୁ ଗ୍ରାହକ ବେଶରେ ଯାଇ ମୂଲଚାଲ କରିଥିଲେ। ହେଲେ ମୂଲଚାଲବେଳେ ପୋଲିସ ବୋଲି ସନ୍ଦେହ କରି ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏସ୍‌ଟିଏଫ୍‌ ଟିମ୍‌ର ଅନ୍ୟ ସଦ୍ୟମାନେ ସେମାନଙ୍କୁ ମାଡ଼ିବସିଥିଲେ।
ଉଲ୍ଲେଖଯୋଗ୍ୟ, ବନ୍ୟଜନ୍ତୁ ଶିକାର ଓ ଅଙ୍ଗ ଚୋରା ଚାଲାଣ ବନ୍ଦ ପାଇଁ ବନ ବିଭାଗ ବିଫଳ ହୋଇଥିବାବେଳେ କ୍ରାଇମ୍‌ବ୍ରାଞ୍ଚ କଡ଼ା ନଜର ରଖିଛି। ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିବା ସହ ଗତ ବର୍ଷକ ମଧ୍ୟରେ ଏସ୍‌ଟିଏଫ୍‌ ପକ୍ଷରୁ ୧୨ ବାଘ ଛାଲ, ୬ ହାତୀଦାନ୍ତ, ୨ ହରିଣ ଛାଲ, ୨ ଜିଅନ୍ତା ବଜ୍ରକାପ୍ତା, ୫ କିଗ୍ରା ବଜ୍ରକାପ୍ତା କାତି ଆଦି ଜବତ କରାଯାଇଛି। ଏଥିସହିତ ୧୩ ମାମଲାରେ ୨୪ ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।