Categories: ଅନୁଗୋଳ

ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି। ଏଥିଯୋଗୁ ଅଧିକାଂଶ ଲୋକଙ୍କ ଚାଳଛପର ଘର, ଗୁହାଳ ଘର, ଆଜବେଷ୍ଟସ, ଟାଇଲ ଛପର ଆଦି ଭାଙ୍ଗି ଯାଇଛି । ସେହିପରି କେତେକ ସ୍ଥାନରେ ବଡ ବଡ ଗଛ ମଧ୍ୟ ଭାଙ୍ଗିଯାଇଛି। ଫଳରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଗଡିଆ, ପାତ୍ରପଡା, ଖମାର, ନୂଆଗାଁ, ତେଲିସାହି, ବସନ୍ତପୁର, ଶିମିଳିପାଳ, ମାଛକୁଟା, ଟାଙ୍ଗିରୀ, ପାଟକୁମୁଣ୍ଡା ଆଦି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଜରପଡା, ଦୁର୍ଗାପୁର, କତଡା, ଜେରେଙ୍ଗ ଆଦି ସ୍ଥାନରେ ଝଡତୋଫାନ, କୁଆପଥର ସହ ବୃଷ୍ଟିପାତ ହୋଇଛି। ବ୍ଲକ ପ୍ରଶାସନ ତଥା ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।