Categories: ଖେଳ

ବାଉଚର୍‌ ଦକ୍ଷିଣ ଆଫ୍ରିକା ମୁଖ୍ୟ କୋଚ୍‌

କେପ୍‌ ଟାଉନ,୧୪।୧୨ (ଏଏଫ୍‌ପି): ପୂର୍ବତନ ଉଇକେଟ୍‌କିପର ମାର୍କ ବାଉଚର୍‌ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ୨୦୨୩ ବିଶ୍ୱକପ୍‌ ପର୍ଯ୍ୟନ୍ତ ବାଉଚର୍‌ଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ଡିରେକ୍ଟର ଅଫ୍‌ କ୍ରିକେଟ୍‌ ତଥା ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ ଶନିବାର ବାଉଚରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ‘ଯୁବ ଓ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳକୁ ସଜାଡ଼ିବା ପାଇଁ ବାଉଚରଙ୍କୁ ବୋର୍ଡକୁ ଅଣାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର୍‌ ଭାବେ ତାଙ୍କର ଲମ୍ବା ଅନୁଭବ ରହିଥିବାରୁ ପ୍ରଥମେ ଟେଷ୍ଟ କ୍ଷେତ୍ରରେ ସଫଳତା ହାସଲ କରିବାକୁ କ’ଣ କରିବାକୁ ପଡ଼ିବ ତାହା ତାଙ୍କୁ ଜଣା’ ବୋଲି ସ୍ମିଥ୍‌ ଏହି ଅବସରରେ କହିଛନ୍ତି। ଏନୋଚ୍‌ ନକ୍‌ଓ୍ବେଙ୍କୁ ବାଉଚରଙ୍କ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟତମ ତାରକା ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ୪୩ ବର୍ଷୀୟ ବାଉଚର ୧୯୯୭ରୁ ୨୦୧୨ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ୧୪୭ ଟେଷ୍ଟ ୨୯୫ ଦିନିକିଆ ଓ ୨୫ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱ କ୍ରିକେଟ୍‌ରେ ବାଉଚରଙ୍କୁ ଅନ୍ୟତମ ଶ୍ରେଷ୍ଠ ଉଇକେଟ୍‌କିପର ଭାବେ ବିବେଚନା କରାଯାଏ। ସେ ଟେଷ୍ଟରେ ୫୩୨ କ୍ୟାଚ୍‌ ସହ ମୋଟ୍‌ ୫୫୫ ଡିସ୍‌ମିସାଲ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ତେବେ ୨୦୧୨ରେ କାଉଣ୍ଟି କ୍ରିକେଟ୍‌ରେ ଉଇକେଟ୍‌ କିପିଂ କରୁଥିବାବେଳେ ଆଖିରେ ବେଲ୍‌ ବାଜି ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। ଚଳିତ ମାସ ଶେଷ ଭାଗରେ ଇଂଲଣ୍ଡ ବିପକ୍ଷ ସିରିଜ ବାଉଚରଙ୍କ ଲାଗି ପ୍ରଥମ ପରୀକ୍ଷା ହେବ।

Share