ବାଉଁଶ ଖୁଣ୍ଟରେ ବିଲ୍‌ ଟାଙ୍ଗି ଚାଲି ଯାଉଛନ୍ତି କର୍ମଚାରୀ

ବାରିପଦା ଅଫିସ, ୧୨ା୩- ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ତାରଯୋଡି ଗ୍ରାମର ୮୧ ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହିଳି ହଇରାଣ ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୌଣସି ମାସରେ ସେମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ମିଳେ ନାହିଁ। ଫଳରେ ସେମାନେ ବିଲ୍‌ ପୈଠ କରିବାପାଇଁ ନାନା ପ୍ରକାର ହଇରାଣ ହରକତ ହୁଅନ୍ତି। ଗ୍ରାମଠାରୁ ବାରିପଦା ବିଦ୍ୟୁତ୍‌ କାର୍ଯ୍ୟାଳୟ ପ୍ରାୟ ୧୫ କି.ମି ପାଖାପାଖି ଦୂରତା ହେଉଥିବାରୁ ସେଠାକୁ ଯାଇ ବିଲ୍‌ ପୈଠ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ବିଦ୍ୟୁତ ବିଲ୍‌ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ ଗ୍ରାମର କୌଣସି ଗ୍ରାହକଙ୍କ ଘରକୁ ନ ଯାଇ ଗ୍ରାମ ଛକରେ ଥିବା ଏକ ବାଉଁଶ ଖୁଣ୍ଟ କିମ୍ବା କୌଣସି ଦୋକାନରେ ବିଦ୍ୟୁତ୍‌ ବିଲଗୁଡିକୁ ଝୁଲାଇ ଦେଇ ଚାଲି ଯାଆନ୍ତି। ପୂର୍ବରୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କାହାରି ଘରକୁ ଯାଇ ବିଲ୍‌ ଦେଇହେବ ନାହିଁ, ଯାହା କରିବାର ଇଛା କର ବୋଲି ବିଲ୍‌ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ କହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ଅଭିଯୋଗ ପ୍ରତି ଦୃଷ୍ଟି ନ ଦେଇ ଓଲଟି ଉପଭୋକ୍ତାଙ୍କ ଉପରେ ଦୋଷ ଲଦି ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରି ଦିଆଯାଇଥିବା ସ୍ଥାନୀୟ ସମିତି ସଭ୍ୟ ଦୀପକ ସିଂ ଏବଂ ୱାର୍ଡ଼ମେମ୍ବର ଲକ୍ଷ୍ମଣ ସିଂ ଅଭିଯୋଗ କରିଛନ୍ତି। ମାଟ୍ରିକ ପରୀକ୍ଷା ପରେ ଯୁକ୍ତ୨ ପରୀକ୍ଷା ସାଙ୍ଗକୁ ବିଦ୍ୟାଳୟମାନଙ୍କରେ ପରୀକ୍ଷା ଚାଲୁଥିବା ସମୟରେ ବିଦ୍ୟୁତ୍‌ କାଟ ଯୋଗୁଁ ଛାତ୍ରୀଛାତ୍ରମାନଙ୍କ ପାଠ ପଢାରେ ମଧ୍ୟ ଅସୁବିଧା ହେଉଛି। ଏ ସମ୍ପର୍କରେ ନେସ୍କୋ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ଦଣ୍ଡପାଟଙ୍କୁ ପଚାରିବାରୁ ଦିନେ ଦୁଇଦିନ ମଧ୍ୟରେ ଏହାର ସମାଧାନ କରାଯିବା ସହିତ ବିଦ୍ୟୁତ୍‌ ବିଲ ବିତରକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।