ବାଉଁଶିଆପଲ୍ଲୀ ଗୁଟ୍‌ଖା କାରଖାନାରେ ଚଢ଼ାଉ: ମାଲିକ ଗିରଫ, ମାଷ୍ଟରମାଇଣ୍ଡ ଫେରାର

ବ୍ରହ୍ମପୁର ଅଫିସ,୯।୮: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବାଉଁଶିଆପଲ୍ଲୀରେ ଚାଲିଥିବା ବେଆଇନ ଗୁଟ୍‌ଖା କାରଖାନାରେ ଚଢ଼ାଉ କରିଛି। ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଜବତ କରାଯାଇଥିବା ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ୨୧ ବସ୍ତା ଗୁଟ୍‌ଖା, ୨ ବସ୍ତା କଞ୍ଚାମାଲ, ୨ଟି ମେଶିନ, ୧୩ ବଣ୍ଡଲ ପ୍ଲାଷ୍ଟିକ ଜରି ଆଦି ପୋଲିସ ଜବତ କରିଛି । କାରଖାନା ମାଲିକ କାଲୁପାତ୍ର ସାହିର ରବୀନ୍ଦ୍ର ସାହୁଙ୍କୁ ମାମଲା ନଂ.୧୯୮/୧୯ ଅନୁଯାୟୀ ଗିରଫ କରାଯାଇଛି । ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି। ଗୁଟ୍‌ଖା ପ୍ରସ୍ତୁତି ପରେ ଜିଲା ତଥା ଅନ୍ୟ ଜିଲାରେ ଏହି କାରବାର ଚଳାଉଥିବା ଅନ୍ୟତମ ମାଲିକ ତଥା ମାଷ୍ଟରମାଇଣ୍ଡ ଦେବେନ୍ଦ୍ର ସାହୁ ଫେରାରଥିବା ପୋଲିସ କହିଛି ।
ପ୍ରକାଶ ଯେ, ଗୁରୁବାର ରାତିରେ ଖବର ପାଇ ପୋଲିସ ବାଉଁଶିଆପଲ୍ଲୀରେ ଚାଲିଥିବା ଗୁଟ୍‌ଖା କାରଖାନାରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ରବୀନ୍ଦ୍ର ସାହୁ ଓ ଫେରାର ଥିବା ଦେବେନ୍ଦ୍ର ୨ ଭାଇ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।