ବାଇପାସ୍‌ରେ ଯୋଡ଼ିହେବ ଆଳତୁମା-ମାଳପୁରା : ଖର୍ଚ୍ଚ ହେବ ୨୦.୧୧ କୋଟି

କାମାକ୍ଷାନଗର, ୧୦।୮(ଡି.ଏନ.ଏ.) – ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାଇପାସ୍‌ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଛି। ୭.୭ କିମି ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ରାସ୍ତା ନିର୍ମାଣରେ ୨୦ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟବାରାଦ କରାଯାଇଛି। ଏଥିପାଇଁ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଏବଂ ଜମି ଅଧିଗ୍ରହଣ ଶେଷ ହୋଇଛି। ଶୁକ୍ରବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ହରିପାଲ, କନିଷ୍ଠ ଯନ୍ତ୍ରୀ ଦୀପ୍ତିମୋହନ ମଲ୍ଲିକ ପ୍ରମୁଖ କର୍ମଚାରୀଙ୍କ ସହ ଉପସ୍ଥିତ ରହି ମାପଚୁପ କରିଛନ୍ତି। କିଛି ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ କାମାକ୍ଷାନଗରଠାରୁ ୫୩ନଂ. ଜାତୀୟ ରାଜପଥର ଦୂରତା ୩୫ କିମି। ସେଠାରୁ ଗୋଟିଏ ପାର୍ଶ୍ୱରେ ତାଳଚେର ଏବଂ ଅନ୍ୟ ପାର୍ଶ୍ୱରେ ଭୁବନ ଅବସ୍ଥିତ। ଏବର ଯୋଜନା ଅନୁଯାୟୀ, ଜାତୀୟ ରାଜପଥଠାରୁ ୨କିମି ପୂର୍ବରୁ ରେକୁଳାଠାରୁ ମାଳବନ୍ଧ ଦେଇ ଆଳତୁମାକୁ ବାଇପାସ୍‌ ରାସ୍ତା ନିର୍ମାଣ ହେବ, ଯାହାର ଦୈର୍ଘ୍ୟ ରହିଛି ୩ କିମି ୫୪୦ମିଟର। ସେହିପରି ରେକୁଲାରୁ ମାଳପୁରାକୁ ଅନୁରୂପ ଭାବେ ମାଳବନ୍ଧ ଦେଇ ରାସ୍ତା ନିର୍ମାଣ କରାଯିବ। ଏହାର ଦୈର୍ଘ୍ୟ ୪କିମି ୧୮୦ ମିଟର। ଉଭୟ ରାସ୍ତା ରେକୁଳାରୁ ଜାତୀୟ ରାଜପଥକୁ ସଂଯୋଗ କରିବ। ଫଳରେ ଭୁବନକୁ ପାଖାପାଖି ୧୦ କିମି ଏବଂ ତାଳଚେରକୁ ୬କିମି ବ୍ୟବଧାନ କମିଯିବ। ଏତଦ୍‌ବ୍ୟତୀତ ପାର୍ବଣ ସମୟରେ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ମିଳିବ। ଦୁଇଟି କ୍ୟାଲେଣ୍ଡର ବର୍ଷ ଅର୍ଥାତ୍‌ ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାଇପାସ୍‌ ନିର୍ମାଣ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ରହିଥିଲା। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।