ବାଇକ୍‌ ଯାଞ୍ଚବେଳେ ପୋଲିସ ଲାଠିମାଡରେ ଯୁବକ ଗୁରୁତର

ପାଟଣାଗଡ, ୨୩ା୯ (ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ତରଫରୁ ରବିବାର ସନ୍ଧ୍ୟାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସ ଲାଠି ମାଡରେ ଜଣେ ବାଇକ୍‌ ଆରୋହୀ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ବଲାଙ୍ଗୀର ସହର ରୁଗୁଡିପଡାର ଦୀପଙ୍କର ପଣ୍ଡା (୩୦) ବୋଲି ଜଣାପଡିଛି ା ତାଙ୍କୁ ପାଟଣାଗଡ ଉପଖଣ୍ଡସ୍ତରୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ା ସନ୍ଧ୍ୟାରେ ପାଟଣାଗଡ-ରାମପୁର ପେଟ୍ରୋଲ ପମ୍ପ ନିକଟରେ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା ା ଏହି ସମୟରେ ବଲାଙ୍ଗୀରର ପଣ୍ଡା ଏକ ବାଇକ୍‌ (ଓଡି୩୩ଇ ୧୪୪୪)ରେ ପାଟଣାଗଡରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ରାମପୁର ପେଟ୍ରୋଲ ପମ୍ପ ନିକଟରେ ପୋଲିସ ତାଙ୍କୁ ଚେକିଂ ଉଦ୍ଦେଶ୍ୟରେ ଅଟକାଇଥିଲେ ା ହେଲେ ପଣ୍ଡା ବାଇକ୍‌ ନ ଅଟକାଇ ବଲାଙ୍ଗୀର ଅଭିମୁଖେ ଦ୍ରୁତ୍‌ଗତିରେ ପଳାଇ ଆସୁଥିଲେ ା ଏହି ସମୟରେ ପୋଲିସର ଲାଠି ବାଜି ପଣ୍ଡାଙ୍କ ମୁହଁ ଫାଟି ଯାଇଥିଲା ା ବାଇକ ଚାଳକ ହେଲମେଟ୍‌ ପିନ୍ଧି ନ ଥିବାରୁ ମୁହଁରେ ଆହତ ଲାଗି ରକ୍ତସ୍ରାବ ହୋଇଥିଲା ା ଏହାପରେ ମଧ୍ୟ ପଣ୍ଡା ସେଠାରେ ନ ଅଟକି ବାଇକ୍‌ ଧରି ଉଲ୍‌ବା ପର୍ଯ୍ୟନ୍ତ ପଳାଇ ଯାଇଥିଲେ ା ପରେ ବଲାଙ୍ଗୀରରୁ କାର୍‌ରେ ପାଟଣାଗଡ ଆସୁଥିତ୍ବା ଦୁଇଜଣ ବ୍ୟକ୍ତି ଆହତ ପଣ୍ଡାଙ୍କୁ ଦେଖି ସେଠାରୁ ପାଟଣାଗଡ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ା ଏ ନେଇ ପାଟଣାଗଡ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟଙ୍କୁ ପଚରାଯିବାରୁ ପୋଲିସ ଚେକିଂ ଚାଲିଥିବା ସମୟରେ ସମ୍ପୃକ୍ତ ଯୁବକ ଜଣକ ଦ୍ରୁତଗତିରେ ବାଇକରେ ଯାଉଥିଲେ ା ତାଙ୍କୁ ଅଟକାଇବା ଚେଷ୍ଟା କରିଥିଲେ ମଧ୍ୟ ସେ ନ ଅଟକି ଓଲଟି କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କନ୍‌ଷ୍ଟେବଳଙ୍କ ବାଡି ବାଜି ଯାଇଥିବ ବୋଲି ସେ କହିିଛନ୍ତି।