ବାଇକ୍‌ ପରି ଦୌଡୁଛି ସାଇକେଲ ପ୍ରୋମାନନ୍ଦଙ୍କ ନୂଆ ଉଦ୍ଭାବନ

ନୟାଗଡ଼ ଅଫିସ,୧୦ା୨(ଲୋକନାଥ ମିଶ୍ର): ବାଇକ୍‌ ପରି ଦୌଡୁଛି ସାଇକେଲ। ଷ୍ଟାର୍ଟ କରିବା ପରେ ଆକ୍ସିଲିରେଟର ବଢାଇବା କ୍ଷଣି ଏହାର ବେଗ ବଢ଼ୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ବଦଳରେ ଏଥିରେ ବ୍ୟାଟେରି ସଂଯୋଗ ହୋଇଛି। ଏହାକୁ ୪ ଘଣ୍ଟା ଚାର୍ଜ କଲେ ଗଡୁଛି ୨୫ କିମି। ଏହି ସାଇକେଲକୁ ବ୍ୟବହାର କଲେ ଚାଳକଙ୍କର ଲାଭ ଅଧିକ। ଖର୍ଚ୍ଚ ପ୍ରାୟ ନ ଥାଏ। ପରିବେଶ ପ୍ରଦୂଷଣର ସମ୍ଭାବନା ନାହିଁ। ନୂଆ ମୋଟରଯାନ ଆଇନ ଏହା ପାଇଁ ପ୍ରଜୁଯ୍ୟ ନୁହେଁ। ପୁଣି ହେଲମେଟ୍‌ର ଆବଶ୍ୟକତା ନାହିଁ। ମୋବାଇଲ ଚାର୍ଜ କରିବାର ସୁବିଧା ବି ଉପଲବ୍ଧ। ଏଭଳି ଏକ ଯାନ ଉଦ୍ଭାବନ କରିଛନ୍ତି ନୟାଗଡ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ଗଁାର ପ୍ରେମାନନ୍ଦ ନାୟକ। କଲେଜ ପାଠପଢ଼ା ଶେଷ ପରେ ସେ ଏହି ଯାନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ପାଠପଢ଼ା ପରେ ଉଦ୍ଭାବନ ଚିନ୍ତା ଆସିଥିଲା
ପିଲାଟି ଦିନରୁ କ’ଣ ଏକ ନୂଆ ଉପକରଣ ତିଆରି କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ ପ୍ରେମାନନ୍ଦ। ତେବେ ସମୟ ତାଙ୍କ ସାଥ୍‌ ଦେଉ ନ ଥିଲା। କଲେଜ ପାଠପଢ଼ା ପରେ ବେକାର ଜୀବନରେ ତାଙ୍କ ମନରେ ଉଦ୍ଭାବନର ଚିନ୍ତା ଉଙ୍କି ମାରିଥିଲା। ୨୦୧୫ରେ ସ୍ନାତକ ଶେଷହେବା ପରେ ସେ ବୈଦ୍ୟୁତିକ ଉପକରଣକୁ ନେଇ ଅଭିଯାନ ଆରମ୍ଭ କଲେ। ବ୍ୟାଟେରି ଚାଳିତ ସାଇକେଲ ତିଆରି କରିବାରେ ଲାଗିପଡିଲେ। ପଡୋଶୀ ଭଞ୍ଜନଗର ଗଁାର ସାଙ୍ଗ ରବୀନ୍ଦ୍ର ନାୟକ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଲେ। ଆଗକୁ ବଢ଼ିବା ପାଇଁ ପ୍ରେରଣା ମଧ୍ୟ ଦେଲେ। ତାଙ୍କ ପଛରେ ପରିବାରର ସଦସ୍ୟମାନଙ୍କ ଭୂମିକା ମଧ୍ୟ କମ୍‌ ନ ଥିଲା। ଶେଷରେ ଦୀର୍ଘଦିନର ପରିଶ୍ରମ ତାଙ୍କୁ ସଫଳତା ଦେଇଥିଲା। ୩ ହଜାର ଟଙ୍କାର ସାଇକେଲରେ ୭ ହଜାର ଟଙ୍କା ଖର୍ଚ୍ଚ କରି ସେ ତାଙ୍କର ଇପ୍‌ସିତ ଯାନ ତିଆରି କରିବାରେ ସଫଳ ହେଲେ। ସେ ପ୍ରସ୍ତୁତ କରିଥିବା ସାଇକେଲ ବାଇକ୍‌ ପରି ଦୌଡୁଛି। ଯଦି ବ୍ୟାଟେରି ଚାର୍ଜ ସରିଯାଏ, ଟେନ୍‌ସନ ହେବାର ନାହିଁ । ପେଡାଲ ମାରି ବି ଏହାକୁ ଚଳାଇ ହେଉଛି। ଏଥିରେ ହିଲିୟମ ବ୍ୟାଟେରି, ୧୨ ଭୋଲ୍ଟର ୨ଟି ବ୍ୟାଟେରି ସହ ୨୫୦ ୱାଟ୍‌ର ଗିୟର ମୋଟର, ହେଡ୍‌ ଲାଇଟ୍‌, ହର୍ନ, ଆକ୍ସିଲିରେଟର, ବ୍ରେକ ଲାଗିଛି। ଏହି ସାଇକେଲକୁ ଦେଖି ସାଙ୍ଗସାଥି, ଗଁା ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ। ଆଗକୁ ଏଥିରେ ବ୍ୟାଟେରି ବଦଳରେ ସେ ସୋଲାର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଛି। ସରକାରୀ ସହାୟତା ମିଳିଲେ ସେ ଆଗକୁ ଯାଇପାରନ୍ତେ ବୋଲି ପ୍ରେମାନନ୍ଦ କହିଛନ୍ତ