ବାଇକ୍‌ ପଛପଟୁ ପିଟିଲା ଟ୍ରକ୍‌: ମା’, ଝିଅ ମୃତ; ବାପା ଗୁରୁତର

ରୂପ୍‌ସା/ବସ୍ତା, ୧।୧୦(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଜୁକନଣ୍ଡି ଛକଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ ଖସି ପଳାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଛକ ପାର୍ଶ୍ୱରେ ଥିବା ଦୋକାନ ଉଚ୍ଛେଦ ଲାଗି ଆନ୍ଦୋଳନକାରୀ ଦାବି କରିଥିଲେ। ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ, ବସ୍ତା ଆଇଆଇସି ଧନେଶ୍ୱର ସାହୁ ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ମୃତକ ହେଲେ ରୂପ୍‌ସା ଥାନା ଆଘିରିଆ ଗ୍ରାମର ରାଧାକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ଅନୁପମା (୪୦) ଓ ଝିଅ ମୋନାଲିସା (୧୪)।

ରାଧାକୃଷ୍ଣ ବାଇକ୍‌ରେ ଅନୁପମା ଓ ମୋନାଲିସାଙ୍କୁ ନେଇ ବସ୍ତା ଅଭିମୁଖେ ଯାଉଥିଲେ। ଜୁକନଣ୍ଡି ଛକଠାରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଧାକୃଷ୍ଣ ସାମାନ୍ୟ ଆହତ ହୋଇଛନ୍ତି। ମା’ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଝିଅ ଜଣକ ମା’ଙ୍କୁ ଛାତିରେ ଜାବୁଡ଼ି ଧରି ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଜୁକନଣ୍ଡି ଛକଠାରେ ରାଜପଥ ପାର୍ଶ୍ୱରେ ଏକ ଢ଼ାବା ଓ ଚା’ ଦୋକାନ ଥିବାରୁ ଟ୍ରକ୍‌, ଭ୍ୟାନ୍‌ ପାର୍କିଂ କରାଯାଉଛି। ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁ ସେଠାରେ ଯାତାୟାତରେ ସମସ୍ୟା ଦେଖାଦେଇଛି।