ବାଇକ୍‌ର ପେଣ୍ଠସ୍ଥଳ କୁହୁଡି:ବାଇକ୍‌ ଚୋରି ପାଇଁ ତାଲିମ ଦିଆଯାଉଥିଲା

ଖୋର୍ଦ୍ଧା ଅଫିସ,୪ା୯: ଖୋର୍ଦ୍ଧା ଜିଲାର ଟାଙ୍ଗୀ ଥାନା କୁହୁଡି ଚୋରା ବାଇକ୍‌ର ପେଣ୍ଠସ୍ଥଳ ପାଲଟିଛି। ଏପରି କି ଏଠାରେ ବାଇକ୍‌ ଲୁଟ୍‌ କରିବାକୁ ଯୁବକମାନଙ୍କୁ ତାଲିମ ଦିଆଯାଇ ଟ୍ରେଣ୍ଡ କରାଯାଉଥିଲା। ନୟାଗଡ ଜିଲାର ଚାନ୍ଦପୁର ଥାନା ପୋଲିସ ରବିବାର ଏଠାରୁ ୧୧ଟି ବାଇକ୍‌ ଜବତ କରିବା ସହ କୁହୁଡିର ଗ୍ୟାରେଜ ମାଲିକ କେଶବ ବେହେରା(୪୦), କୁହୁଡିର ବାବୁଲି ବେହେରା(୩୬) ଓ ଜିତେନ୍ଦ୍ର କୁମାର ପଟ୍ଟନାୟକ(୩୮) ବାଇକ୍‌ ଲୁଟ୍‌ ଅଭିଯୋଗରେ ଗିରଫ ହେବା ପରେ ସେମାନଙ୍କ କାରନାମା ପଦାକୁ ଆସିଛି। ହେଲେ ଚୋରା ବାଇକ୍‌ ଲୁଟ୍‌ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଟାଙ୍ଗୀ ଥାନା ପୋଲିସ ଅବଗତ ନ ଥିଲା, ନା ଜାଣିଶୁଣି ଚୁପ ରହିଥିଲା ତାହା ସନ୍ଦେହ ଘେରକୁ ଆସିଛି। ଲୁଟ୍‌ କରୁଥିବା ବ୍ୟକ୍ତିଙ୍କଠାରୁ ମାସିକିଆ କୋଟା ନେଇ ପୋଲିସ ଚୁପ ରହୁଥିଲା ବୋଲି ଜଣେ ବାଇକ୍‌ ଲୁଟେରା ନଁା ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ତେବେ ବାଇକ୍‌ ଲୁଟ୍‌ ଦଳର ମୁଖିଆ ଥିଲେ କୁହୁଡିର ବାବୁଲି ଓ ଜିତେନ୍ଦ୍ର। ଏମାନଙ୍କ ଅଧୀନରେ ୨୦ଜଣ ବାଇକ୍‌ ଲୁଟ୍‌ କରୁଥିବା ସଦସ୍ୟ କାର୍ଯ୍ୟ କରୁଛନ୍ତି। ଏହି ଦଳର ସଦସ୍ୟମାନେ ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲାରୁ ବାଇକ୍‌ ଚୋରି କରିଥାନ୍ତି। ପରେ ବାଇକ୍‌ଗୁଡିକ ଆଣି କୁହୁଡିର ଗ୍ୟାରେଜରେ ଖୋଲାଯାଏ। ଗ୍ୟାରେଜ ମାଲିକ କେଶବ ଚୋରା ବାଇକ୍‌ର ପାର୍ଟସ୍‌ଗୁଡିକ ଖୋଲି ବିକ୍ରି କରିଥାନ୍ତି। ଯାହା ମିଳେ ଭାଗବାଣ୍ଟି ନିଅନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ ଜିଲା ଚାନ୍ଦପୁର ଥାନା କନ୍ଧ ନୂଆଗଡ ଗଁାର କେଶବ ପ୍ରଧାନଙ୍କର (ନଂ. ଓଡି୨୫ ଏଚ୍‌ ୯୪୨୦) ବାଇକ୍‌ ରବିବାର ଚୋରି ହୋଇଥିଲା। ବାଇକ୍‌ ଚୋରି ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦଫା ୩୭୯, ୪୧୧, ୩୪ ଆଇପିସିରେ ନଂ. ୮୦/୧୯ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ତଦନ୍ତରୁ ଜାଣି ପାରିଥିଲା କୁହୁଡିର ବାବୁଲି ବାଇକ୍‌ ଚୋରିରେ ସମ୍ପୃକ୍ତ ଅଛନ୍ତି। ବାବୁଲିଙ୍କୁ ଅଟକ ରଖି ପଚରାଉଚୁରା ପରେ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗିରଫ ହୋଇଛନ୍ତି। ତେବେ ଚାନ୍ଦପୁର ଥାନା ପୋଲିସ ତା’ର ଦାୟିତ୍ୱ ଶେଷ କରି ଦେଇଥିବାବେଳେ ଟାଙ୍ଗୀ ଥାନା ପୋଲିସ ବାଇକ୍‌ ଚୋରି ର଼୍ୟାକେଟକୁ ଠାବ କରିବାକୁ ତ୍ୱରିତ ପଦକ୍ଷେପ ନେବା କଥା। ହେଲେ ଏଯାବତ ଟାଙ୍ଗୀ ଥାନା ପୋଲିସ ଚୁପ ରହିବା କାରଣରୁ ବାଇକ୍‌ ଲୁଟ୍‌ କରୁଥିବା ବ୍ୟକ୍ତି ଦିଗ ପରିବର୍ତ୍ତନ କରିବାକୁ ସୁବିଧା ହେବ ବୋଲି ଜଣେ ବାଇକ୍‌ ଲୁଟେରା କହିଛନ୍ତି।