ବାଇକ୍‌କୁ ଧକ୍କା ଦେଲା ଟ୍ରକ: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜୀବନଗଲା

ଡେରାବିଶ, ୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କର ଶୁକ୍ରବାର ସକାଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ସହଦେବ ବିଶ୍ୱାଳ (୩୪)।
ସୂଚନା ଅନୁଯାୟୀ, ସହଦେବ ବାଇକ୍‌ (ନଂ. ଓଡି ୦୨ ଏ୨୧୧୧) ଯୋଗେ କେନ୍ଦ୍ରାପଡ଼ାରୁ ନିଜ ଘର ପୁରୀ ଅଭିମୁଖେ ଯାଉଥିଲେ। ସଦର ଥାନା ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କାକତିଆ ବଜାର ଠାରେ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସହଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତଜନା ଦେଖାଦେଇଥିଲା। ଖବର ପାଇ ଚାନ୍ଦୋଳ ଫାଣ୍ଡି ଅଧିକାରୀ ଭାଗବତ ମାହାଳିଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା।