ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି: ସ୍ତ୍ରୀ, ସ୍ବାମୀ ମୃତ, ବର୍ତ୍ତିଗଲେ ୪ ମାସର ଶିଶୁକନ୍ୟା

କେନ୍ଦୁଝର,୩୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳୀ ନିକଟସ୍ଥ ବାଘୁଆ ନାଳ ନିକଟରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ସ୍ତ୍ରୀ ଏବଂ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ୪ମାସର ଶିଶୁକନ୍ୟା ବର୍ତ୍ତି ଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲା ଡୁବୁରୀ ଥାନା ନଡ଼ିଆଭଙ୍ଗା ଗ୍ରାମର ଦୁଃଖିରାମ ମାରାଣ୍ଡି ସ୍ତ୍ରୀ ଓ ଶିଶୁକନ୍ୟାକୁ ନେଇ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଦୁଃଖିରାମ ଓ ୩ମାସର ଶିଶୁ କନ୍ୟାକୁ ବ୍ରାହ୍ମଣୀପାଳରୁ ଫେରୁଥିବା ମୋବାଇଲ ଟିମ୍‌ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ଦୁଃଖିରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ୪ମାସର ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।