Categories: ଖେଳ

ବାଂଲାଦେଶ ୨୩୩ରେ ସୀମିତ

ରାଓ୍ବଲପିଣ୍ଡି, ୭ା୨ (ଏଏଫ୍‌ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍‌ କରିଦେଇଛି। ପେସ୍‌ ବୋଲର ଶାହିନ ଶାହ ଆଫ୍ରିଦୀ ଚମତ୍କାର ବୋଲିଂ କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ତାଙ୍କ ୨୧.୫ ଓଭର ବୋଲିଂରେ ୫୩ରନ ବିନିମୟରେ ୪ଟି ଉଇକେଟ ଦଖଲ କରିଥିଲେ। ପେସ୍‌ ବୋଲର ମହମ୍ମଦ ଆବାସ (୨/୧୯) ଏବଂ ସ୍ପିନର ହାରିଶ ସୋହେଲେ (୨/୧୧) ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଗ୍ରିନିଶ-ୟଲୋ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଯଥାର୍ଥ ବୋଲି ପାକିସ୍ତାନ ବୋଲରମାନେ ପ୍ରମାଣିତ କରିଥିଲେ। ବାଂଲାଦେଶ ଅଲ୍‌ ଆଉଟ ହେବା ପରେ ଆଉ ୫ ଓଭର ଖେଳ ବାକି ରହିଥିଲା। ବ୍ୟାଡ୍‌ ଲାଇଟ୍‌ ଯୋଗୁ ଅମ୍ପାୟର ଖେଳକୁ ସ୍ଥଗିତ ଘୋଷଣା କରିଥିଲେ। ମହମ୍ମଦ ମିଥୁନ ଯଦି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ନ ଥାନ୍ତେ ତାହେଲେ ବାଂଲାଦେଶର ପ୍ରଥମ ଇନିଂସ ୨୦୦ ରନ ମଧ୍ୟରେ ସୀମିତ ରହିଯାଇଥାନ୍ତା। ମିଥୁନ ୧୯୩ ମିନିଟ ଧରି କ୍ରିଜ୍‌ରେ ଜମି ରହିବା ସହ ୭ ଚୌକା ଓ ଗୋଟିଏ ଛକା ସହ ୬୩ ରନ କରିଥିଲେ। ବାଂଲାଦେଶ ଏକଦା ୧୬୧/୬ରେ ସଂଘର୍ଷ କରୁଥିବାବେଳେ ମିଥୁନ ଓ ତାଇଜୁଲ ଇସ୍‌ଲାମ (୨୪ରନ) ୭ମ ଉଇକେଟରେ ମୂଲ୍ୟବାନ ୫୩ ରନ ଯୋଗ କରିଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୮୨.୫ ଓଭରରେ ୨୩୩/ଅଲ ଆଉଟ (ମହମ୍ମଦ ମିଥୁନ-୬୩, ନାଜମୁଲ ହୋସେନ୍‌ ସାଣ୍ଟୋ-୪୪, ଲିଟନ ଦାସ-୩୩, ଶାହିନ ଆଫ୍ରିଦୀ-୪/୫୩)।

Share