Categories: ଖେଳ

ତୁଟିଲା ବିବାଦ: ୩ରୁ ବାଂଲାଦେଶ-ଭାରତ ସିରିଜ୍‌

ଢାକା,୨୪।୧୦- ଆସନ୍ତା ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍‌ରୁ ଅନିଶ୍ଚିତତାର କଳା ବାଦଲ ହଟି ଯାଇଛି। ବାଂଲାଦେଶର ଖେଳାଳି ଓ ବୋର୍ଡ ବିସିବି ମଧ୍ୟରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣ ଛେଦ ପଡ଼ିଛି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଘରୋଇ ଖେଳାଳିଙ୍କ ଭତ୍ତା ବୃଦ୍ଧିଠାରୁ ଆରମ୍ଭ କରି ବିପିଏଲକୁ ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ରେ ପରିଣତ କରିବା ଓ ଜଣେ ଖେଳାଳି ଦୁଇ ଅଧିକ ବିଦେଶ ଲିଗ୍‌ରେ ଅଂଶଗ୍ରହଣ କରିବା ପର୍ଯ୍ୟନ୍ତ ଖେଳାଳିଙ୍କ ବିଭିନ୍ନ ଦାବିକୁ ଗ୍ରହଣ କରିନେଇଛି। ଆମେ ପ୍ରାୟ ଦାବି ପୂରଣ କରିବା ପାଇଁ ରାଜି ହୋଇଛୁ ବୋଲି ନାଜମୁଲ ହାସନ ଏକ ଯୁଗ୍ମ ଖବରଦାତା ସମ୍ମିଳନୀରେ କହିଛନ୍ତି, ଯେଉଁଥିରେ ସାକିବ ଅଲ ହାସନ ମଧ୍ୟ ଉପସ୍ଥିତ ଥିଲେ। ଆମେ ଘରୋଇ କ୍ରିକେଟ ପ୍ରତିଯୋଗିତା (ଏନ୍‌ସିଏଲ)ର ୩ୟ ପର୍ଯାୟକୁ ବାତିଲ କରିବାକୁ ଚିନ୍ତା କରିଥିଲୁ। କିନ୍ତୁ ଖେଳାଳିମାନେ ଖେଳିବାକୁ ମନ ବଳାଇବାରୁ ଶନିବାରଠାରୁ ଖେଳାଯିବା ନେଇ ନିଷ୍ପତ୍ତି ନେଇଛୁ। ଜାତୀୟ କ୍ୟାମ୍ପ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଗତ ସୋମବାର ଦେଶର ଖେଳାଳିମାନେ ୧୧ ଦାବି ନେଇ ଷ୍ଟ୍ରାଇକକୁ ଚାଲିଯାଇଥିଲେ। ପରେ ତାଲିକାରେ ଆଉ ୨ ଦାବି ସାମିଲ କରାଯାଇ ବିସିବି ନିକଟକୁ ପଠାଯାଇଥିଲା।

Share