Categories: ଖେଳ

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପରେ ସେ ଅବସର ନେବେ। ୩୪ ବର୍ଷୀୟ ଅଭିଜ୍ଞ ଅଲରାଉଣ୍ଡର ନବୀ ୩ଟି ଟେଷ୍ଟ ଖେଳିଛନ୍ତି। ଗତ ବର୍ଷ ଭାରତ ବିପକ୍ଷରେ ସେ ଟେଷ୍ଟ ଖେଳିଥିଲେ ଓ ଏହା ଆଫଗାନିସ୍ତାନ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଥିଲା। ଟେଷ୍ଟରୁ ଅବସର ନେଉଥିଲେ ମଧ୍ୟ ସେ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିବେ। ଟେଷ୍ଟରେ ଆଫଗାନିସ୍ତାନର ଯୁବ କ୍ରିକେଟରମାନେ ଆଗକୁ ଆସି ଦାୟିତ୍ୱ ନେବା ଆବଶ୍ୟକ। ଯୁବ ଖେଳାଳିମାନେ ଟେଷ୍ଟ ଖେଳିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
କ୍ରିକେଟରେ ଟେଷ୍ଟ ହେଉଛି ସବୁଠାରୁ ଶ୍ରେଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ଫର୍ମାଟ। ପ୍ରତ୍ୟେକ କ୍ରିକେଟର ଟେଷ୍ଟ ଖେଳିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଗତ ୧୮ ବର୍ଷ ହେବ ଆଫଗାନିସ୍ତାନ ପାଇଁ କ୍ରିକେଟ ଖେଳି ଆସୁଛି। ଆଫଗାନିସ୍ତାନକୁ ଟେଷ୍ଟ ମାନ୍ୟତା ମିଳିବା ନେଇ ଆମେ ପ୍ରୟାସ କରିଆସିଥିଲୁ। ଏବେ ଏହି ସ୍ବପ୍ନ ସାକାର ହୋଇଛି ବୋଲି ନବୀ କହିଛନ୍ତି। ଆଫାଗାନିସ୍ତାନ କ୍ରିକେଟକୁ ଆଗକୁ ନେବାରେ ନବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଦେଶ ପାଇଁ ୩ଟି ଯାକ ଫର୍ମାଟ୍‌ରେ ସକ୍ରିୟ ଥିଲେ। ଟି୨୦ରେ ବେଶ୍‌ ସକ୍ରିୟ ରହିଥିବା ନବୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ ଖେଳିଛନ୍ତି। ଯେପର୍ଯ୍ୟନ୍ତ ଫିଟ୍‌ ଥିବି ଆଫଗାନିସ୍ତାନ ପାଇଁ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିବି ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ନବୀ ୧୨୧ଟି ଦିନିକିଆ ଖେଳି ୨, ୬୯୯ ରନ ସଂଗ୍ରହ କରିବା ସହ ୧୨୮ଟି ଉଇକେଟ ହାସଲ କରିଛନ୍ତି। ସେହିପରି ସେ ୬୮ଟି ଟି୨୦ ମ୍ୟାଚ୍‌ ଖେଳି ୧, ୧୬୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ୮୯ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ସ୍କୋର। ଟି୨୦ରେ ସେ ୬୯ ଟି ଉଇକେଟ ମଧ୍ୟ ହାସଲ କରିଛନ୍ତି।

Share