Categories: ଖେଳ

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ ଟେଷ୍ଟ ଖେଳିବାକୁ ରାଜି ହୋଇଥିଲା। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଢ଼ାକାରେ ଖେଳିବା ପାଇଁ ବାଂଲାଦେଶ ପ୍ରସ୍ତାବ ଦେଇଥିଲା। ଏହି ଦୁଇଟି ଟେଷ୍ଟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ହୋଇଥିବା ବେଳେ ପାକିସ୍ତାନ କିନ୍ତୁ ବାଂଲାଦେଶର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ପିସିବି ତରଫରୁ କୁହାଯାଇଛି। ଏହି ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ପାକିସ୍ତାନ ଘରୋଇ ସିରିଜର ଅଂଶବିଶେଷ। ତେଣୁ ଦୁଇଟି ଟେଷ୍ଟ ପାକିସ୍ତାନରେ ହିଁ ଖେଳାଯିବା ଉଚିତ୍‌ ବୋଲି ପିସିବିର ଜଣେ ଅଧିକାର କହିଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏଭଳି ପ୍ରସ୍ତାବ ଦେବା ଆଶ୍ଚର୍ଯ୍ୟଜନକ ଓ ଅସଙ୍ଗତ ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ଜାନୁୟାରୀ ୧୮ ତାରିଖରୁ ବାଂଲାଦେଶ ପାକିସ୍ତାନ ଗସ୍ତ କରି ଦୁଇଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବାଂଲାଦେଶ ଟି୨୦ ସିରିଜ ଖେଳିବାକୁ ରାଜି ହୋଇଥିବା ବେଳେ ଟେଷ୍ଟ ଖେଳିବାକୁ ଅମଙ୍ଗ ହୋଇଥିଲା। ଫଳରେ ଏହି ଗସ୍ତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ପ୍ରଥମେ ଟି୨୦ ଖେଳି ବାଂଲାଦେଶ ନିରାପତ୍ତା ବ୍ୟବସ୍ଥା ଆକଳନ କରିବାକୁ ଚାହିଁଥିଲା। ଯଦି ସବୁ କିଛି ଠିକଠାକ ଲାଗିଥାନ୍ତି ତାହାଲେ ଟେଷ୍ଟ ଖେଳିବା ନେଇ ବିଚାର କରିଥାନ୍ତା। କିନ୍ତୁ ବାଂଲାଦେଶ ଏବେ ଭିନ୍ନ ପ୍ରସ୍ତାବ ଦେଇଛି।
ଏଥିସହିତ ପିସିବି ମଧ୍ୟ ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ସିରିଜ ଆୟୋଜନ କରିବା ସମ୍ଭାବନାକୁ ଏଡାଇଦେଇଛି। ଗୋଟିଏ ଟେଷ୍ଟ ପାକିସ୍ତାନରେ ଓ ଆଉ ଗୋଟିଏ ବାଂଲାଦେଶରେ ଖେଳାଯିବ ପ୍ରସ୍ତାବକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ବୋଲି ପିସିବିର ଏହି ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।

Share