Categories: ଖେଳ

ବାଂଲାଦେଶ ଖେଳାଳିଙ୍କ ପ୍ରତିକ୍ରିୟାକୁ ଗୁରୁତର ସହ ନେଲା ଆଇସିସି

ପୋଚେଫ୍ସଷ୍ଟ୍ରୁମ,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ଚାମ୍ପିୟନ ହେବା ପରେ ବାଂଲାଦେଶ ଦଳର ଖେଳାଳିମାନେ ଭାବପ୍ରବଣ ହୋଇ ଅତ୍ୟଧିକ ଆକ୍ରମଣାତ୍ମକ ଆଚାରଣ ପ୍ରଦର୍ଶନ କରିଥିଲେ। ଏହାକୁ ଗୁରୁତର ସହ ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏ ନେଇ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ମ୍ୟାନେଜର ଅନୀଲ ପଟେଲ ସୂଚନା ଦେଇଛନ୍ତି। ଫାଇନାଲ ମ୍ୟାଚ୍‌ର ଅନ୍ତିମ କିଛି ମିନିଟ୍‌ର ଫୁଟେଜ ଯାଞ୍ଚ କରାଯିବ। କ’ଣ ଘଟିଲା କେହି କିଛି ବୁଝି ପାରି ନ ଥିଲେ ବୋଲି ସେ କହିଛନ୍ତି। କେବଳ ମ୍ୟାଚ୍‌ ପରେ ତା’ ନୁହେଁ, ମ୍ୟାଚରେ ପେସର ଶରିଫୁଲ ଇସଲାମ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପ୍ରତ୍ୟେକ ବଲ ପରେ ସ୍ଲେଜିଂ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଓପନର ଦିବ୍ୟାଂଶ ସକ୍ସେନାଙ୍କ ଉପରକୁ ବାଂଲାଦେଶ ପେସର ଶାକିବ ଫଲୋ ଥ୍ରୁରେ ବଲ ଧରି ଥ୍ରୋ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ବାଂଲାଦେଶ ଖେଳାଳିମାନେ ଗ୍ରାଉଣ୍ଡରେ ପ୍ରବେଶ କରି ଖରାପ ଆଚାରଣ ପ୍ରଦର୍ଶନ କରିଥିଲେ। ଏପରି କି ଭାରତୀୟ ଖେଳାଳିଙ୍କ ସହ ମୁହଁାମୁହିଁ ହୋଇଥିଲେ। ପରେ କୋଚିଂ ଷ୍ଟାଫ ସ୍ଥିତି ସମ୍ଭାଳିଥିଲେ। ପଟେଲ ଦାବି କରିଛନ୍ତି, ମ୍ୟାଚ୍‌ ରେଫରି ଗ୍ରେମ ଲାବ୍ରୁ ଦେଖା କରି ଦୁଃଖ ପ୍ରକାଶ କରିଛନ୍ତି।

Share