ବହୁରୂପୀ

ନିମାଇଁ ଚରଣ ଲେଙ୍କା

କେହି ଯଦି ମୋତେ ୧ କି.ଗ୍ରା. ଜିଅନ୍ତା ବେଙ୍ଗ ନିକିତିରେ ଓଜନକରି ଦେଇପାରିବେ, ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ କରିଦେଇପାରିବି। କାରଣ ଏଭଳି ଉଚ୍ଚ ଆସନ ପାଇଯିବା ବରଂ ସହଜ, କିନ୍ତୁ ‘ବେଙ୍ଗ ଓଜନ’ କାର୍ଯ୍ୟଟି ସବୁଠାରୁ କଷ୍ଟକର। ଅନ୍ୟ ଭାଷାରେ ଗୁରୁଘର ପାଠ। ଏମାନେ ପ୍ରକୃତରେ ବେଙ୍ଗ ନୁହନ୍ତି। ମଣିଷ ରୂପଧାରୀ, ଭିନ୍ନଭିନ୍ନ ପରିସ୍ଥିତିରେ ବିଭିନ୍ନ ପଶୁପକ୍ଷୀ, ସରୀସୃପଙ୍କ ଚରିତ୍ରରେ ନିଖୁଣ ଅଭିନୟ କରିପାରୁଥିବା ଭୟଙ୍କର ଜନ୍ତୁ। ପ୍ରତି ୫ବର୍ଷରେ ଥରେ ଏମାନଙ୍କର ମହାକୁମ୍ଭ(ନିର୍ବାଚନ) ଯୋଗ ଚଳିତବର୍ଷ ମଧ୍ୟ ପଡ଼ିଛି। ତେଣୁ କଳେ ବଳେ କୌଶଳେ ଗୋଟିଏ ଦଳୀୟ ଆଜ୍ଞାପତ୍ରିକା (ଟିକେଟ) ହାସଲକରି ଯେକୌଣସି ମୂଲ୍ୟ ବିନିମୟରେ ନିର୍ବାଚନ ଜିତି, କ୍ଷମତା ହାସଲ କରି ‘ଆମ ରକ୍ତ ଶୋଷିବା’ ହିଁ ସେବାର ଏକମାତ୍ର ମାଧ୍ୟମ ବୋଲି ଏମାନେ ଜାଣନ୍ତି। ସେବାରେ ନୁହେଁ ନେବାରେ ବିଶ୍ୱାସୀ ଓ ସେବକର ଛଦ୍ମବେଶରେ ଶୋଷକ ହିଁ ଅଟନ୍ତି। ଲୋକେ ଯାହା କୁହନ୍ତୁ, କିନ୍ତୁ ପଇସା ଦରକାର। ମେଣ୍ଟ ରାଜନୀତି ବା ଆସନ ବୁଝାମଣା ହେଉଛି ନିର୍ବାଚନର ପ୍ରଥମ ଚରଣ। ବହୁ ଟଣାଓଟରା ଓ ମୂଲଚାଲ ପରେ ସେଇଟା ଚୂଡ଼ାନ୍ତ ହୋଇଯିବା ପରେ ଆରମ୍ଭ ହୋଇଯାଏ ଆଜ୍ଞାପତ୍ରିକା ପ୍ରାପ୍ତି ଉଦ୍ୟମ। ଦଳର ଦୃଷ୍ଟି ଆକର୍ଷଣ ପାଇଁ ଏମାନେ ଦଳୀୟ କାର୍ଯ୍ୟାଳୟ କିମ୍ବା ନେତାଙ୍କ ବାସଭବନ ସମ୍ମୁଖରେ ନକଲି ସମର୍ଥକମାନଙ୍କୁ ଧରି ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି। ସମସ୍ତ କୌଶଳରେ ବିଫଳ ହେଲେ ଆରମ୍ଭ ହୋଇଯାଏ ‘ଦଳବଦଳ’ ବା ‘ବେଙ୍ଗଡିଆଁ’ କାର୍ଯ୍ୟକ୍ରମ। ନିଜ ସ୍ବାର୍ଥ ପାଇଁ ଏମାନେ କର୍ମୀମାନଙ୍କ ନାଁ ନେଇ ବେଙ୍ଗ ପାଲଟିଯାଆନ୍ତି ଓ ଗୋଟିଏ ନିକିତିରୁ ଅନ୍ୟ ନିକିତିକୁ ତୀବ୍ରବେଗରେ ଡିଆଁଡେଇଁ କରନ୍ତି। ତେଣେ ମଧ୍ୟ ‘ଛେଳି ମେଁମେଁକୁ କଟୁରି ମେଁମେଁ’ ନ୍ୟାୟରେ ‘ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଶେଉଳ’ ପରି ଅନ୍ୟ ଦଳର ନେତୃତ୍ୱ, ଅଧିକ ଭୋଟ ଲୋଭରେ କିମ୍ବା ପ୍ରାର୍ଥୀ ଅଭାବ ଥିବାରୁ ଏଇ ଦଳଡିଆଁ, ଆମଦାନୀ ନେତାମାନଙ୍କୁ ଦଳରେ ଗ୍ରହଣ କରିନିଅନ୍ତି, ‘ଅପାଳକ ରାଇଜରେ ବିଜୁଳି ଲକ୍ଷେଟଙ୍କା’ ଭଳି। ଏମାନଙ୍କ ପାଇଁ ଦରକାର ଖାଲି କିଛି ଗେଣ୍ଡୁମାଳ, ଟୋପି ଓ ଗାମୁଛା, ମିଶ୍ରଣପର୍ବ ପାଳନ ପାଇଁ। ଅଣଦେଖା, ଅଗଣତାନ୍ତ୍ରିକ, ଏକଚ୍ଛତ୍ରବାଦ, ଦୁର୍ନୀତିଗ୍ରସ୍ତ ଆଦି କିଛି ଶବ୍ଦକୁ ଏମାନେ ମୁଖସ୍ଥ କରିଥାନ୍ତି ଓ ଆବଶ୍ୟକସ୍ଥଳେ ଆମକୁ ଭକୁଆ ମନେକରି ସେଗୁଡ଼ିକର ପ୍ରୟୋଗ କରନ୍ତି।
ଲଜ୍ଜାହୀନ ଭାବେ ଦୀର୍ଘବର୍ଷ ଧରି ସ୍ତୁତି କରୁଥିବା ଦଳକୁ ନିନ୍ଦା ଓ ନିନ୍ଦା କରୁଥିବା ଦଳର ସ୍ତୁତି କରନ୍ତି। ପ୍ରତ୍ୟେକ ଦଳର ହାଇକମାଣ୍ଡ ମଧ୍ୟ ନିଷ୍ଠାପର,ସଚ୍ଚୋଟ କର୍ମୀଙ୍କୁ ଅବହେଳାକରି ଏଭଳି କିଛି ଅଯୋଗ୍ୟଙ୍କୁ ଟିକେଟ ଦିଅନ୍ତି। ପୂର୍ବରୁ ଯେଉଁମାନେ ଥରେ ରାଜନୀତିରେ ପ୍ରବେଶ କରିଥାନ୍ତି, ସେଥିରେ ଏତେ ଘିଅ,ମହୁ(ଅର୍ଥ,କ୍ଷମତା ନିଶା)ର ସ୍ବାଦ ଚାଖିଥାଆନ୍ତି ଯେ, ‘ଭଲ ବ୍ୟବସାୟ ରାଜନୀତି’ ବା ‘ପୁଞ୍ଜି ବିନିଯୋଗ’ ନୀତିରେ କୋଳିଖାଇ କୋଳିମଞ୍ଜି ପୋତିବା ଭଳି ନିଜ ପରିବାର ବ୍ୟତୀତ ଅନ୍ୟ କାହାରିକୁ ବାଟ ଛାଡ଼ନ୍ତିନାହିଁ। ନିଜେ ନ ପାଇଲେ ବା ଆପରାଧିକ ମାମଲାରେ ଛନ୍ଦିହୋଇଥିଲେ ସ୍ତ୍ରୀ, ପୁଅ, ଝିଅଙ୍କ ପାଇଁ ଓ କେତେକ କ୍ଷେତ୍ରରେ ବାପପୁଅ, ଭାଇଭାଇ ଉଭୟ ଏହି ଟିକେଟ ହାତେଇବାକୁ ଚେଷ୍ଟାକରି ସଫଳ ମଧ୍ୟ ହୁଅନ୍ତି। ଠିକ୍‌ ଚଟୁ ଆମିଷକୁ ବେଣ୍ଟ ନିରାମିଷ ଭଳି। ଦଳୀୟ ନିୟମ ସେମାନଙ୍କ ପାଇଁ ଗୋଟିଏ ଓ ଅନ୍ୟମାନଙ୍କ ପାଇଁ ଗୋଟିଏ। ସାହିତ୍ୟ,ସଂସ୍କୃତି, କଳା ଓ କ୍ରୀଡ଼ା ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କିଛି ବ୍ୟକ୍ତି ମଧ୍ୟ ନିଜ ଲୋକପ୍ରିୟତାର ସୁଯୋଗ ନେଇ ଏହି ନିର୍ବାଚନୀ ଯଜ୍ଞରେ ଝାସ ଦିଅନ୍ତି। କେତେକେ ଅଭିନେତାରୁ ନେତା ଓ ନେତାରୁ ଅଭିନେତା ପାଲଟିଯାଆନ୍ତି।
ପ୍ରଥମ ପର୍ଯ୍ୟାୟ (ଟିକେଟ ବଣ୍ଟା) ପରେ ଆରମ୍ଭ ହୋଇଯିବ ଦ୍ୱିତୀୟ ପର୍ଯ୍ୟାୟ (ନିର୍ବାଚନ ଯୁଦ୍ଧ)। ଯିଏ କଳକୌଶଳ କରି ଟିକେଟ ପାଇବେ ତ ପାଇବେ, ଯିଏ ନ ପାଇବେ ଦଳବିରୋଧୀ ବା ଗୋଚ୍ଛିକଟା କାମରେ ଲାଗିଯିବେ। ପାଇବା ଲୋକ କିଛି ମିଥ୍ୟା ସତ୍ୟପାଠ (ସମ୍ପତ୍ତି ମୂଲ୍ୟ କମାଇ) ପ୍ରକାଶକରି ନିର୍ମଳ ଭାବମୂର୍ତ୍ତିର ପ୍ରମାଣ ଦେବେ। ସଭାସମିତିରେ ହାତୀ ଦେବି ଘୋଡ଼ା ଦେବି ଭଳି କିଛି ମିଥ୍ୟା ପ୍ରତିଶ୍ରୁତି(ଇସ୍ତାହାର) ଦେଇ ଲୋକଙ୍କ ଦୁର୍ଦ୍ଦଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦି ଭୋଟ ଭିକ୍ଷାକରିବେ।
”ଏ ଲଢ଼େଇ ଆପଣମାନଙ୍କର, ମୁଁ ନିମିତ୍ତମାତ୍ର କିମ୍ବା ପ୍ରଗତିରୂପୀ ଏହି ସେତୁବନ୍ଧ ନିର୍ମାଣରେ ମୁଁ ଗୁଣ୍ଡୁଚିମୂଷାଟିଏ ମାତ୍ର।“ ଏହିପରି କିଛି ଛଳନାପୂର୍ଣ୍ଣ ଖଣ୍ଡବାକ୍ୟକୁ ସେମାନେ ବାରମ୍ବାର ପ୍ରୟୋଗ କରିବେ। ବେଙ୍ଗରୁ ଦୁହଁାଳିଆ ଗାଈ ହୋଇଯିବେ ଓ ଯିଏ ଯେତେ ପାରିବେ ସେତେ ଦୁହିଁ ନେଇଯିବେ। ନିଅନ୍ତୁ ପଛେ, ଆଗକୁ ତ କ୍ଷମତାଲାଭର ଆଶା ଅଛି, ହଜାର ଗୁଣ ଆଦାୟ ହେବ ହିଁ ହେବ। ଯଦି କୌଣସିମତେ ନିର୍ବାଚନରେ ଜିତିଯିବେ,ଗାଈରୁ ମୂଷା ହୋଇ କ୍ଷମତା ପାଇଁ ନିଜ ଦଳରୁ ଅନ୍ୟ ଦଳକୁ କନ୍ଦି କାଟିବେ। ଆବଶ୍ୟକ ପଡ଼ିଲେ, କ୍ଷମତାର ମ୍ୟାଜିକ୍‌ ନମ୍ବର ହାସଲ ପାଇଁ ଦଳପତିଙ୍କ ନିର୍ଦ୍ଦେଶରେ ମୂଷାରୁ ମେଣ୍ଢା ହୋଇ କୌଣସି ହୋଟେଲ ବା ଅତିଥି ଭବନରେ ଦଳଦଳ ହୋଇ ନଜରବନ୍ଦୀରେ ରହିବେ, ଗୃହରେ ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ। ଯଦି ଭାଗ୍ୟକୁ କ୍ଷମତା ପାଇଯିବେ, ମେଣ୍ଢାରୁ ଜୋକ ହୋଇ ପୂରା ୫ବର୍ଷ ଆମର ରକ୍ତ ଶୋଷିଯିବେ। ରାଜନୈତିକ ଜୀବନର ଅବଧି ମଧ୍ୟରେ ଏମାନେ ଅସଂଖ୍ୟ ଥର ଦଳ ଡିଆଁଡେଇଁ କଲେ ମଧ୍ୟ ସବୁଠାରୁ ଖସିଯାଆନ୍ତି। ଏମାନେ ବାରମାସୀ ଚଢ଼େଇ ଓ ଏଣ୍ଡୁଅ ଭଳି ରଙ୍ଗ ବଦଳାଇବାରେ ପାରଙ୍ଗମ। କେବେ ଯଦି ଏମାନଙ୍କୁ ଲାଏ ଡିଟେକ୍ଟରର ସମ୍ମୁଖୀନ ହେବାକୁ ପଡ଼େ, ତେବେ ନିଜ ଚରିତ୍ର ଓ କଳା କାରନାମା ପଦାରେ ପଡ଼ିଯିବା ଭୟରେ ଏମାନେ ସମ୍ପୂର୍ଣ୍ଣ ରାଜନୀତି ଛାଡ଼ିଦେଇପାରନ୍ତି। ପ୍ରିୟ ପାଠକେ! ଆମେ କ’ଣ ଏହିଭଳି ନକଲି ସେବକ ଓ ‘ବହୁରୂପୀ’ମାନଙ୍କ ହାତରେ ନିଜ ଭାଗ୍ୟଡୋରିକୁ ସବୁଦିନ ପାଇଁ ଟେକିଦେଉଥିବା? ଏହାର କ’ଣ କିଛି ପ୍ରତିକାର ନାହିଁ? ଏବେ ମଧ୍ୟ ସମୟ ଅଛି। ପ୍ରଥମରୁ ଆମେ ଯଦି ପ୍ରତିଜ୍ଞାବଦ୍ଧ ହୋଇ ପ୍ରତ୍ୟେକ ଦଳରେ ଥିବା ଏଇ ଅର୍ଥ, କ୍ଷମତାଲୋଭୀ,ସୁବିଧାବାଦୀ, ବୋଳଝାଞ୍ଜି, ଦଳଡିଆଁ ବେଙ୍ଗ,ରଙ୍ଗ ବଦଳାଉଥିବା ବାରମାସୀ ଚଢ଼େଇ ବା ଏଣ୍ଡୁଅ ଓ ମୁଣ୍ଡବୁଲା ଶେଉଳମାନଙ୍କୁ ଚିହ୍ନି ରଖି ଠକ୍‌ ସମୟରେ ଉଚିତ ଶିକ୍ଷା ଦେଇପାରିବା ଏବଂ କୌଣସି ଦଳ ନ ଦେଖି ରାଜନୀତି କ୍ଷେତ୍ରରେ ଥିବା ନୀତିନିଷ୍ଠ, ସେବାନିଷ୍ଠ, ସ୍ବାଭିମାନୀ, ସଚ୍ଚୋଟ, ଆଦର୍ଶବାଦୀ ନେତା ତଥା ନିଷ୍କଳଙ୍କ ଯୁବନେତା ମାନଙ୍କୁ ନୈତିକ ସମର୍ଥନ ଦେଇପାରିବା, ତେବେ ସବୁ କିଛି ଆପେ ସଜାଡ଼ି ହୋଇଯିବ। ରାଜନୀତିରେ ଏକ ନିର୍ମଳ, ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ। ଏବେ ସମଗ୍ର ରାଷ୍ଟ୍ରର ମଙ୍ଗଳ ପାଇଁ ଆମେ(ଧୃତରାଷ୍ଟ୍ରମାନେ) ଆମ ଅଜ୍ଞାନତା ରୂପକ ଅନ୍ଧପୁଟୁଳି ଖୋଲିଦେବା ହିଁ ସମୟର ଆହ୍ବାନ।
ମୋ:୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri