ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲା: ମହିଳାଙ୍କ ସମେତ ୪ଜଣଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୨ା୬- ୨୦୧୬ରେ ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲାର ଶୁଣାଣି କରି ଶନିବାର ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ବାସନ୍ତୀ ପ୍ରଧାନ (୩୩), ଲିଟୁ ପ୍ରଧାନ (୨୬), ବିପିନ କୁମାର ସାହୁ (୩୨) ଓ ପ୍ରକାଶ ବେହେରା(୨୫)। ମାମଲାର ବିବରଣୀରୁ ପ୍ରକାଶ ଯେ, ୭ ମେ ୨୦୧୬ ରାତିରେ ବୁଢ଼ାବୁଢ଼ିଆଣୀ ଡ୍ୟାମ ନିକଟ ବିଲେଇପଲ୍ଲୀ ଛକଠାରେ ଶରଣକୁଳ ଥାନା ପଞ୍ଚରିଡ଼ା ମାନପୁର ଗ୍ରାମର ସୁଦାମ ସ୍ବାଇଁଙ୍କ ମୃତଦେହ ପଡ଼ିଥିବା ନେଇ ତାଙ୍କ ଭାଇ ସୁବଳଙ୍କୁ ଫୋନ୍‌ ଆସିଥିଲା। ବିଳମ୍ବିତ ରାତିରେ ସୁବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିବା ସହିତ ତାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ପରଦିନ ଅର୍ଥାତ୍‌ ୮ ତାରିଖରେ ସୁଦାମଙ୍କ ସ୍ତ୍ରୀ ଝିଲି ସ୍ବାଇଁ ଏ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ୭ ତାରିଖ ସନ୍ଧ୍ୟାରେ ନନ୍ଦିଘୋର ଗ୍ରାମର ପ୍ରକାଶ ଓ ବିପିନ ସୁଦାମଙ୍କୁ ଫୋନ୍‌ କରି ଭୋଜି ଖାଇଯିବାକୁ ଡାକିଥିଲେ। ପରେ ସୁଦାମଙ୍କୁ ବିଲେଇପଲ୍ଲୀ ଛକଠାରେ ବାସନ୍ତୀ ଓ ଲିଟୁଙ୍କ ସହଯୋଗରେ ହତ୍ୟା କରି ରାସ୍ତାକଡ଼କୁ ପିଙ୍ଗି ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ଓଡ଼ଗାଁ ପୋଲିସ ୬୦/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କ ଫୋନ୍‌ ଟ୍ୟାପ୍‌ କରି ୪ଜଣଙ୍କୁ ଗିରଫ କରିଥିଲା। ଜଣେ ଜେଲ୍‌ରେ ଥିବାବେଳେ ଅନ୍ୟ ୩ ଜଣ ବେଲ୍‌ରେ ଆସି ଗ୍ରାମରେ ରହୁଥିଲେ। ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପଣ୍ଡା ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଶୁଣାଣି କରିଥିଲେ। ଜରିମାନା ଅନାଦାୟ ଏକବର୍ଷ ଅଧିକ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ସରକାରୀ ଓକିଲ ଅନୱର ମଲ୍ଲିକ ମାମଲା ପରିଚାଳନା କରୁଥିଲେ।