ବସ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : କଟକ ସ୍ଥାନାନ୍ତର

ଆନନ୍ଦପୁର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁରଠାରେ ଗୁରୁବାର ପୂର୍ବାହ୍ନରେ ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ସାଇକେଲ ଆରୋହୀଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଏକ ଯାତ୍ରୀବାହୀ ବସ ନଂ. ଓଡି ୦୫-ଭି-୫୨୯୭ ଭଦ୍ରକରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ବୀରଗୋବିନ୍ଦପୁର ଗ୍ରାମର ଘନଶ୍ୟାମ ମିଶ୍ର(୫୪)ଙ୍କୁ ଧକ୍କା ଦେଇଥିଲା। ସେ ସାଇକେଲ ଯୋଗେ ଧକୋଠା ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।