ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର,୯।୨(ବ୍ୟୁରୋ)- ଗଞ୍ଜାମ ଜିଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାଏ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତିି। ଆହତ ସମସ୍ତ ବ୍ୟକ୍ତିବିଶେଷଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି। ୧୧ କେ.ଭି. ବିଦ୍ୟୁତ ତାର ଲାଗି ଏହି ଦୁର୍ଘଟଣା ଘଟିଥିଲା। ତେଣୁ ଏହି ତାର କେତେ ଉଚ୍ଚତାରେ ରହିଥିଲା, ସେ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେଶନ ଲିଃ (ଓପିଟିସିଏଲ୍‌) ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ (ସିଏମ୍‌ଡି) ସୌରଭ ଗର୍ଗଙ୍କ ପକ୍ଷରୁ ସାଉଥ୍‌କୋକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।