ବସ୍‌ରେ ପରିବହନ କଟକଣା ଯାଞ୍ଚ କଲେ ଜିଲାପାଳ: କୋକୋକୋଲା ଗୋଦାମ, ବେକେରୀକୁ ବନ୍ଦ କଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୨୨ା୩-କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ଅଧିକ ସଜାଗ ହୋଇଛି ଜିଲା ପ୍ରଶାସନ । ଗଞ୍ଜାମ ଜିଲାରେ ୧୪୪ ଧାରା ଉଠାଯିବା ପରେ ସହରରେ ଜନଗହଳି, ଭିଡକୁ ଏଡାଇବା ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଗତ ସୋମବାରରୁ ସହରର ବଡବଜାର, ସାନବଜାର, ହନୁମାନବଜାର, ଗିରିମାର୍କେଟ, ଏସ୍‌ଏନ୍‌ଟିରୋଡ, ଅର୍ଣ୍ଣପୂର୍ଣ୍ଣ।ମାର୍କେଟ ସମେତ ସମସ୍ତ ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ଦୋକାନ ବଜାର ବନ୍ଦ ରହିଛି । ଶନିବାରରୁ ତେଜରାତି ଦୋକାନ, ପରିବା ବଜାର, ଫଳମୂଳ ଦୋକାନ, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଛୋଟ ବଡ ଦୋକନା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଖୋଲାଥିବା ଚା, ପାନ ଓ ଅନ୍ୟାନ୍ୟ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିଷ୍ପତ୍ତି ପ୍ରକାରେ ସିଟିବସ୍‌, ଘରୋଇ ବସ୍‌, ସରକାରୀ ବସ୍‌ରେ ଥିବା ସିଟଠାରୁ ୫୦ ପ୍ରତିଶତ ଯାତ୍ରୀ ପରିବହନ କରିବାକୁ କୁହାଯାଇଛି । ଏନେଇ ଜିଲାପାଳ ସହରର ବିଭିନ୍ନ ଛକରେ ଯାତ୍ରୀବାହୀ ବସ୍‌ଗୁଡିକୁ ଯାଞ୍ଚ କରିବା ସହ ସଚେତନତ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣକାନ୍ତଙ୍କ ନେତୃତ୍ୱରେ ଗଠିତ ଟିମ୍‌ ପ୍ରଶାସନ ନିଦ୍ଦେଶକୁ ଖିଲାପ କରୁଥିବା କିଛି ଦୋକାନକୁ ବନ୍ଦ କରିଥିବା ସୂଚନା ମିଳିଛି । କମାପଲ୍ଲୀ ଭେଣ୍ଡିଂଜୋନ୍‌ ରାସ୍ତା ପାର୍ଶ୍ୱରେ ଖୋଲିଥିବା ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯାଇଥିବା ବେଳେ ପ୍ରଶାସନର ନିୟମକୁ ଅବମାନନା କରି ଦୋକାନ ଖୋଲିଥିବା ମିଲଟେରୀ ଲାଇନ୍‌ର ଏକ ବେକେରୀ, କୋକୋକୋଲା ହୋଲସେଲ ଦୋକାନକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।