Categories: ମେଟ୍ରୋ

ବସ୍‌ଉଠ, ମାଡ଼ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଉଲ୍ଲଂଘନକାରୀଙ୍କୁ ପୋଲିସ ପିଟିବା ସହ ବସ୍‌ଉଠ କରି ଦଣ୍ଡ ଦେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚତ୍ଛି। ବୁଧବାର ଶହୀଦନଗରରେ ପୋଲିସ ୩ ଜଣ ବାଇକ୍‌ ଚାଳକଙ୍କୁ ରାସ୍ତା ଉପରେ ବସ୍‌ଉଠ କରିବା ସହ ତାତିଯାଇଥିବା ପିଚୁରାସ୍ତାରେ ବସାଇ ଦେଇଥିଲା। ଆଉ କେତେଜଣଙ୍କୁ ଆଣ୍ଠେଇବାକୁ ମଧ୍ୟ ପୋଲିସ ବାଧ୍ୟ କରିଥିଲା। ବଲାଙ୍ଗୀର ଓ ଭବାନୀପାଟଣା ଅଞ୍ଚଳରେ ସାଇକେଲରେ ଗ୍ରସେରି ନେଇ ଫେରୁଥିବା ଲୋକଙ୍କୁ ପୋଲିସ ଅମାନୁଷିକ ଭାବେ ମାଡ ମାରିଥିଲା। ଏହା ମାନବାଧିକାରର ଉଲ୍ଲଂଘନ ହୋଇଥିବାରୁ ଆଇନ୍‌ ସେବା ସଂସ୍ଥା କ୍ଲାପ୍‌ ସଭାପତି ଡ. ବିକାଶ ଦାସ ଏନ୍‌ଏଚ୍‌ଆରସ୍‌ରେ ଏକ ପିଟିଶନ ଦାଖଲ କରିଛନ୍ତି। ଡ. ଦାସ କହିଛନ୍ତି, ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି ଲୋକଙ୍କୁ ବାହାରକୁ ଯିବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେଣୁ ଲୋକମାନେ ଘରୁ ବାହାରୁଛନ୍ତି। ମାତ୍ର ପୋଲିସ ସେମାନଙ୍କ କଥା ନ ଶୁଣି ଆମାନୁଷିକ ଭାବେ ମାଡ ମାରିବା ସହ ବସ୍‌ଉଠ କରୁଛି ା ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ, କିନ୍ତୁ ରାସ୍ତା ଉପରେ ବସ୍‌ଉଠ ବା ମାଡ ମାରିପାରିବ ନାହିଁ। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ସେ କମିଶନଙ୍କୁ ଅନୁରୋଧ କରିଥିବା କହିଛନ୍ତି।