ବସ୍ତିରେ ରହୁନି ସାମାଜିକ ଦୂରତ୍ୱ, ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୨୯ା୩(ବ୍ୟୁରୋ): ଲୋକଙ୍କୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣରୁ ରୋକିବା ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ ଓ ସତର୍କ କରାଯାଉଛି। ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ହେଁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିଛି। ଏକାଠି ବସି ପୂଜାପାଠ କରିବାଠାରୁ ଆରମ୍ଭ କରି ପିଲାମାନେ ରୁଣ୍ଡ ହୋଇ ଖେଳକୁଦ କରୁଛନ୍ତି। ଛକ ଓ ଦୋକାନ ଆଗରେ ଗହଳି ଜମାଇ ଖଟି କରୁଛନ୍ତି। ଅନ୍ୟପକ୍ଷରେ ସାଲିଆସାହି ପରି ଅନ୍ୟ କେତେକ ବସ୍ତିରେ ସରକାରଙ୍କ କଟକଣା ସତ୍ତ୍ୱେ ଚା’, ସିଗାରେଟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି। ଅତ୍ୟାବଶ୍ୟକ ସାମଗ୍ରୀ ନାଁରେ ଦୋକାନ ଖୋଲି ବସିଥିବା ଦେଖିବାକୁ ମିଳୁଛି। ବିଶେଷକରି ଏସବୁ ଦୋକାନ ଆଗରେ ଅଧିକ ଗହଳି ରହୁଛି। ତେବେ ଏସବୁ ଅଞ୍ଚଳରେ ସେପରି ସଚେତନତା ସୃଷ୍ଟି କରାଯାଇ ନ ଥିବା ଓ କୋହଳ ସ୍ଥିତି ପାଇଁ ଲୋକେ ବିପଦକୁ ଆପଣାଇବାକୁ ଯାଉଥିବା ଜଣାପଡିଛି। ଅନ୍ୟପକ୍ଷରେ କେତେକ ଅଞ୍ଚଳରେ ଅଳିଆ ଆବର୍ଜନା ଜମା ହୋଇ ରହୁଥିବା ଅଭିଯୋଗ ହେଉଛି। ଫଳରେ ବସ୍ତି ଅଞ୍ଚଳରେ କରୋନା ବ୍ୟାପିବା ଆଶଙ୍କା ରହିଛି। ଏବେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବସ୍ତିରେ ରହୁଥିବାରୁ ସଂକ୍ରମଣ ହେଲେ ରୋକିବା କଷ୍ଟକର ହୋଇପଡ଼ିବ ଓ ଏହା ରାଜଧାନୀରେ ଜଟିଳ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ସଚେତନ କରିବା ବିଏମ୍‌ସିର ପ୍ରଥମ କର୍ତ୍ତବ୍ୟ ଥିଲା, ଏବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।