ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି ୨ଟି ଘରୋଇ ବସ ଜଳିପୋଡ଼ି ଛାର୍‌ଖାର ହୋଇଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।


ସୂଚନା ଅନୁଯାୟୀ, ସୁଲୋଚନା ଓ ନିରୂପମା ନାମକ ୨ଟି ଘରୋଇ ବସ୍‌ ସବୁଦିନ ପରି ରବିବାର ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ୍‌ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଥିଲେ। ପରେ ଯାତ୍ରୀଙ୍କୁ ଛାଡ଼ି ବସ୍‌ ଧୁଆଧୋଇ କରି ଚାଳକ ଓ ହେଲ୍‌ପର ଖାଇବାକୁ ଯାଇଥିଲେ। ବସ୍‌ ୨ଟି ପାଖାପାଖି ରହିଥିଲା। କିଛି ସମୟ ପରେ ଦୁଇଟିଯାକ ବସ୍‌ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ବସ୍‌ ୨ଟି ଜଳିଗଲା ତାହା ଏବେ ବି ଅସ୍ପଷ୍ଟ ରହିଛି।