ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲକୁ କିଭଳି କ୍ରିୟାଶୀଳ କରାଯାଇପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହସ୍ପିିଟାଲର ସିଭିଲ୍‌ କନ୍‌ଷ୍ଟ୍ରକଶନ୍‌, ମୁଖ୍ୟ ଫାଟକ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଅପରେଶନ୍‌ ଥିଏଟର ପାଇଁ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରପାତି ସହ ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏ ଦିଗରେ ତୁରନ୍ତ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅନ୍ୟ ଜନପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ସୋମବାର ବାରିପଦାସ୍ଥିତ ମୟୂରଭଞ୍ଜ ଆୟୁର୍ବେଦ ମେଡିକାଲ କଲେଜକୁ ସରକାରୀ ମେଡିକାଲ କଲେଜରେ ପରିଣତ କରିବା ଲାଗି ସରକାରୀ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ଏହି କଲେଜକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପୂରଣ କରିବା ସହ ସରକାରୀ ସ୍ତରରେ ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।