ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର ଧାନର ମୂଲ୍ୟ ସର୍ବନିମ୍ନ ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ା ବର୍ଦ୍ଧିତ ମୂଲ୍ୟ ଯୋଗୁ ଚାଷୀମାନେ ଅଧିକ ଫାଇଦା ପାଇବେ ବୋଲି ଆଶା ବାନ୍ଧିଥିଲେ। ଅଧିକାଂଶ ସେବା ସମବାୟ ସମିତି ଚାଷୀଙ୍କଠାରୁ ସାଢେ ୮ କୁଇଣ୍ଟାଲ ଧାନ କିଣୁଛି। ଫଳରେ ପ୍ରତ୍ୟେକ ଚାଷୀ ଓ ଭାଗଚାଷୀଙ୍କ ପାଖରେ ଆହୁରି ୨୦ କୁଇଣ୍ଟାଲରୁ ଅଧିକ ଧାନ ମହଜୁଦ ହୋଇରହିଛି ା ତେବେ ବଳକା ଧାନ ସମିତି କିଣୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସାଧାରଣତଃ ମିଲରମାନେ ସେବା ସମବାୟ ସମିତି ମାଧ୍ୟମରେ ଧାନ ନେଇଥାନ୍ତି। ବାଲିଆପାଳ ବ୍ଲକରେ ଅଧିକାଂଶ ସେବା ସମବାୟ ସମିତି ଚାଷୀଙ୍କଠାରୁ ମାତ୍ର ସାଢେ ୮ କୁଇଣ୍ଟାଲ ଧାନ କିଣୁଛି ା ଫଳରେ ଚାଷୀଙ୍କଠାରେ କ୍ୱୁଇଣ୍ଟାଲ କ୍ୱୁଇଣ୍ଟାଲ ଧାନ ବିକ୍ରି ହୋଇ ନ ପାରି ପଡିରହିଛି ା ଚାଷୀମାନେ ଯେତେ ଧଁାଦୌଡ କଲେ ବି ସେବା ସମବାୟ ସମିତି ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ ମୁତାବକ ଧାନ କିଣିବ ବୋଲି ରୋକଠୋକ କହୁଛନ୍ତି ା ସରକାର ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ। ଅନ୍ୟପକ୍ଷରେ ସେବା ସମବାୟ ସମିତି କୁଇଣ୍ଟାଲ ପିଛା ଧାନରୁ ୫/୧୦ କେଜି କାଟି ଦେଉଛନ୍ତି ା ଏନେଇ ଯେଉଁ ଚାଷୀ ପ୍ରତିବାଦ କରୁଛି ସେମାନଙ୍କଠୁ ଧାନ କିଣୁନାହାନ୍ତି। ପ୍ରତ୍ୟେକ ସେବା ସମବାୟ ସମିତିରେ ଏବେ ଶହ ଶହ ଅଣଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଚାଷୀକାର୍ଡ ମିଳିଛି ା ବହୁ ସେବା ସମବାୟ ସମିତି ଏହି ଅଣଚାଷୀଙ୍କ କାର୍ଡକୁ ବ୍ୟବହାର କରି ବାହାର ବ୍ୟବସାୟୀଙ୍କଠାରୁ ଧାନ କିଣୁଛନ୍ତି ବୋଲି ଗଣେଶ ନନ୍ଦ, ଦୈତାରୀ ସାହୁ, ବିଶ୍ୱନାଥ ପଣ୍ଡିତ, ଶଶାଙ୍କ ଦାସ, ଧନଞ୍ଜୟ ରାଉତ ଓ ପ୍ରଭାତ ରାଉଳ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରି ନ ପାରି ହଟହଟା ହେଉଛନ୍ତି ା ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନାଠୁ ଯେତେ ଯୋଜନା ପ୍ରଚଳନ କରିଥିଲେ ବି ବାସ୍ତବ କ୍ଷେତ୍ରରେ ସେହି ଯୋଜନାଗୁଡିକର ଫାଇଦା ପ୍ରକୃତ ଚାଷୀମାନେ ପାଇପାରୁନାହାନ୍ତି ା ସରକାରଙ୍କ ଏସବୁ ଯୋଜନା ପ୍ରହସନରେ ପରିଣତ ହୋଇଛି ବୋଲି ଆଲୋଚନା ହେଉଛି। ଜନପ୍ରତିନିଧିମାନେ ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ନୀରବ ରହୁଛନ୍ତି ା ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଚାଷୀମାନେ ଦାବି କରିଛନ୍ତି ା