ବଲିଉଡ୍‌ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି। ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ପର୍ସନାଲ ଓ ପ୍ରୋଫେସନାଲ୍‌ ଲାଇଫ୍‌ ଉପରେ କରୋନାର ପ୍ରକୋପ ଦେଖିବାକୁ ମିଳୁଛି। ଏହାରି ଭିତରେ ବି ଟାଉନ୍‌ରୁ ପ୍ରଶଂସକଙ୍କୁ ନିରାଶ କଲାଭଳି ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ-ନତାଶା ଦଲାଲ ଓ ଅଲୀ ଫଜଲ-ରିଚା ଚଢାଙ୍କ ବିବାହକୁ ଘୁଞ୍ଚାଇ ଦିଆଯାଇଛି। ବରୁଣ ତାଙ୍କ ବିବାହକୁ ଚଳିତ ବର୍ଷର ଶେଷ ଆଡକୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଥମେ ବରୁଣ ଓ ନତାଶା ନିଜର ଡ୍ରିମ୍‌ ଓ୍ବେଡିଂକୁ ଥାଇଲାଣ୍ଡରେ କରିବାକୁ ଯୋଜନା କରିଥିବା ବେଳେ ପରେ ଏହାକୁ ଯୋଧପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ଚର୍ଚ୍ଚା ହୋଇଥିଲା ଯେ, ଦୁହିଁଙ୍କ ପରିବାର ଲୋକେ ସେମାନଙ୍କ ବିବାହକୁ ମୁମ୍ବାଇରେ ସାଧାରଣ ଭାବେ କରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ କରୋନା ଭାଇରସ୍‌ ଯୋଗୁ ସେମାନଙ୍କ ବିବାହରେ ବାଧା ଉପୁଜିଥିବାରୁ ବରୁଣଙ୍କ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ଲଭ୍‌ବାର୍ଡଙ୍କ ବିବାହ ନଭେମ୍ବରରେ ଥାଇଲାଣ୍ଡରେ ହୋଇପାରେ ବୋଲି କୁହାଯାଉଛି। ଅପରପକ୍ଷେ ଅଲୀ ଓ ରିଚାଙ୍କ ବିବାହରେ ମଧ୍ୟ କରୋନା ଗ୍ରହଣ ଲାଗିଛି। ନିକଟରେ ଦୁହେଁ ବିବାହ ପାଇଁ ଘୋଷଣା କରିଥିଲେ। ହେଲେ କରୋନା ମହାମାରୀ ଯୋଗୁ ତାଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। କାରଣ ଏହି କପଲଙ୍କ ବିବାହରେ ବହୁ ଅତିଥି ୟୁଏସ୍‌ ଓ ୟୁରୋପରୁ ସାମିଲ ହେବାର ଥିଲା। ତେବେ ବିଶ୍ୱରେ ଦେଖାଦେଇଥିବା ଭୟଙ୍କର ପରିସ୍ଥିତି ଯୋଗୁ ସେମାନଙ୍କ ବିବାହ ତାରିଖକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି।

Share