ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ ଥିଲା। ବହୁ କଷ୍ଟ କରି ସେମାନେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେଭଳି ଜଣେ ଅଭିନେତା ହେଲେ ଗୁଲ୍‌ଶନ ଗ୍ରୋଭର।

ବଲିଉଡ୍‌ ‘ବ୍ୟାଡ୍‌ମ୍ୟାନ୍‌’ ଭାବେ ପରିଚିତ ଗୁଲ୍‌ଶନଙ୍କ ଆଜି ଜନ୍ମଦିନ। ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଗୁଲ୍‌ଶନଙ୍କ ପଢ଼ିବା ପାଇଁ ଅର୍ଥର ଅଭାବ ଦେଖାଦେଇଥିଲା। ଏଣୁ ପ୍ରତ୍ୟହ ସକାଳେ ଲୁଗାସଫା ପାଉଡର (ସର୍ଫ), ଫିନାଇଲ ବିକ୍ରି କରିବାକୁ ଯାଉଥିଲେ। ସ୍କୁଲ ସମୟ ଅପରାହ୍ନରେ ଥିବା ଯୋଗୁ ତାଙ୍କୁ ଏପରି କରିବାକୁ ସମୟ ମିଳିଯାଉଥିଲା। ଏଥିରୁ ମିଳୁଥିବା ଅର୍ଥରେ ସେ ପଢ଼ାଖର୍ଚ୍ଚ ଉଠାଉଥିଲେ। ଏପରିକି ଅନେକ ସମୟରେ ତାଙ୍କୁ ଭୋକିଲା ରହିବାକୁ ପଡ଼ୁଥିଲା। ଏପରି ସମସ୍ୟା କଲେଜ ପର୍ଯ୍ୟନ୍ତ ଚାଲିଥିଲା। ପରେ ସେ ଅଭିନୟ କରିବା ଆଶାରେ ବମ୍ବେ ଆସିଥିଲେ। ଅନେକ ଦିନ ପର୍ଯ୍ୟନ୍ତ କଠିନ ସଂଘର୍ଷ କରିଥିଲେ। ପ୍ରଥମେ ଥିଏଟର ଏବଂ ପରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଖଳନାୟକ ଭାବେ ସେ ନାମ କମାଇଥିଲେ। ଏପରିକି ହଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ସେ। ୧୯୯୭ରେ ରିଲିଜ୍‌ ହୋଇଥିବା ଦ ସେକେଣ୍ଡ ଜଙ୍ଗଲ ବୁକ: ମୋଗ୍‌ଲି ଆଣ୍ଡ ବଲ୍ଲୁରେ କାମ କରିଛନ୍ତି ଗୁଲ୍‌ଶନ। ଏବେ ମଧ୍ୟ ତାଙ୍କ ହାତରେ ବହୁ ବଡ଼ ଫିଲ୍ମ ରହିଛି। ସୂର୍ଯ୍ୟବଂଶୀ, ସଡକ-୨, ମୋଗୁଲରେ ସେ କାମ କରୁଛନ୍ତି। ମୋଗୁଲରେ  ଦାଉଦ୍‌ ଇବ୍ରାହିମ ଭୂମିକା ନିଭାଉଛନ୍ତି।

Share