ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ ଫିଲ୍ମ। ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରୁ ଅଜୟ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ପାଇଁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଥିଲେ ଖିଲାଡି ହିରୋ ଅକ୍ଷୟ କୁମାର। ହେଲେ କୌଣସି କାରଣରୁ ଅକ୍ଷୟ ଫିଲ୍ମ କରିବାକୁ ମନା କରିବାରୁ ଅଜୟଙ୍କୁ ଏଥିରେ ନିଆଗଲା। ଫିଲ୍ମରେ ଅଜୟ ୨ଟି ମୋଟରସାଇକେଲରେ ଗୋଡ଼ ରଖି ଏଣ୍ଟ୍ରି କରିଥିଲେ। ଏହି ଦୃଶ୍ୟକୁ ନେଇ ସେହି ସମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଫିଲ୍ମର ଆକ୍ସନ୍‌ ନିର୍ଦ୍ଦେଶକ ଥିଲେ ଅଜୟଙ୍କ ବାପା ଭୂରୁ ଦେବଗନ୍‌। ମାତ୍ର ଅଜୟ ଅଭିନେତା ବଦଳରେ ନିର୍ଦ୍ଦେଶକ ହେବାର ସ୍ବପ୍ନ ଦେଖୁଥିଲେ। ତେଣୁ ପାଠପଢ଼ା ଶେଷ ହେବା ପରେ ସେ ନିର୍ଦ୍ଦେଶକ ଶେଖର କପୁରଙ୍କ ସହ ସହାୟକ ନିର୍ଦ୍ଦେଶକ ରୂପେ କାମ ଆରମ୍ଭ କଲେ। ଏହି ସମୟରେ ତାଙ୍କର ସାକ୍ଷାତ ହେଲା କୁକ୍କୁ କୋହଲିଙ୍କ ସହ। ଏବଂ ସେ ଅଜୟଙ୍କୁ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଅଫର ଦେଲେ। ଏହା ପରେ ଅଜୟ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚାଲିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ସନ ହିରୋ ରୂପେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ। ପରେ ଅଜୟ କମେଡି ସିନେମାରେ ଅଭିନୟ କଲେ। ଅଜୟ ଏବଂ କାଜଲଙ୍କୁ ବଲିଉଡ୍‌ର ସଫଳ ସ୍ତ୍ରୀ-ସ୍ବାମୀ ବୋଲି କୁହାଯାଏ।

Share