ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ

ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍‌ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ ସ୍ମରଣୀୟ। ଭାରତୀୟ ସିନେମାରେ ବିଭିନ୍ନ ବିଷୟକୁ ନେଇ ବହୁ ଫିଲ୍ମ ତିଆରି କରାଯାଇଥାଏ। କିନ୍ତୁ ଯେଉଁଠି ଦେଶଭକ୍ତି କଥା ଆସେ ସେଠାରେ ଭାବନାର ସ୍ରୋତ ସୃଷ୍ଟି ହୋଇଥାଏ। କିଛି ଫିଲ୍ମ ତ ଏମିତି ବି ଅଛି ଯାହାର କାହାଣୀ ରିୟଲ ହୋଇ ନ ଥିଲେ ମଧ୍ୟ ରିୟଲ ଭଳି ଲାଗିଥାଏ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ ସମ୍ପର୍କରେ।
* ପୁରବ ଔର ପଶ୍ଚିମ: ବଲିଉଡ୍‌ ଫିଲ୍ମ ‘ପୁରବ ଔର ପଶ୍ଚିମ’ ଭାରତୀୟ ସଂସ୍କାର ଓ ପାଶ୍ଚାତ୍ୟ ସଭ୍ୟତାକୁ ନେଇ କାହାଣୀଟି ଗତିଶୀଳ ହୋଇଥିଲା। ପାଶ୍ଚାତ୍ୟ ଦେଶର
ଚାଳିଚଳନରେ ପ୍ରଭାବିତ ହୋଇ ଭାରତୀୟମାନେ କିପରି ନିଜର ସଂସ୍କାରକୁ ଭୁଲିଯାଇଛନ୍ତି ସେକଥା ଫିଲ୍ମରେ ଦୃଶ୍ୟମାନ ହୋଇଛି। ଏହି ଫିଲ୍ମରେ ଅଭିନେତା ମନୋଜ କୁମାର ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ସାୟରା ବାନୁ ନଜର ଆସିଥିଲେ। ଏଥିସହ ବିନୋଦ ଖନ୍ନା, ପ୍ରେମ ଚୋପ୍ରା, ଓମ୍‌ ପ୍ରକାଶ, ଓ ଅଶୋକ କୁମାରଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ସେହି ସମୟରେ ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍‌ ଲୋକପ୍ରିୟ ହୋଇଥିଲା।
*ଉପକାର: ଉପକାର ଫିଲ୍ମ ଜରିଆରେ ମନୋଜ କୁମାରଙ୍କୁ ନୂଆ ପରିଚୟ ମିଳିଥିଲା। ସେ ଭାରତ କୁମାର ନାମରେ ଜଣାଯାଉଥିଲେ। ଏହି ଫିଲ୍ମରେ ମନୋଜଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା। ଆଉ ଏହି ଫିଲ୍ମ ତାଙ୍କ କ୍ୟାରିୟରର ସବୁଠୁ ବଡ଼ ମୋଡ଼ ନେଇଥିଲା। ସବୁଠାରୁ ବଡ଼ କଥା ହେଲା ଯେ ଏହି ଫିଲ୍ମରେ ମନୋଜ କୁମାର ନିଜେ ନିର୍ଦ୍ଦେଶନା ଭାର ତୁଳାଇଥିଲେ। ସେହି ବର୍ଷ ଏହି ଫିଲ୍ମ ସବୁଠାରୁ ଲୋକପ୍ରିୟ ଫିଲ୍ମ ଭାବେ ଜଣାଯାଇଥିଲା।
*ବର୍ଡର: ଫିଲ୍ମ ‘ବର୍ଡର’ ଆଜି ବି ଟିଭିରେ ପ୍ରସାରିତ ହେଲେ ଅଧିକ ଲୋକ ଏହାକୁ ଦେଖିବାକୁ ଚାହିଁ ରହିଥାନ୍ତି। ଆଉ ଯେବେ ଏହି ଫିଲ୍ମର ‘ସନ୍ଦେଶେ ଆତେ ହେଁ’ ଗୀତ ବାଜିଥାଏ ଲୋକମାନେ ଭାବୁକ ହୋଇପଡ଼ିଥାନ୍ତି। ଏହି ମଲ୍ଟିଷ୍ଟାର ଫିଲ୍ମରେ ଭାରତୀୟ ସେନାଙ୍କ କାହାଣୀକୁ ନିର୍ମିତ ହୋଇଥିଲା। ସେନାଙ୍କର ଛୋଟରୁ ବଡ଼ କାହାଣୀ ଅର୍ଥାତ୍‌ ଜଣେ ସେନାର ଭାବନା, ସାହିସିକତା, ତ୍ୟାଗ ଓ ପରିବାର ଲୋକଙ୍କ ଠାରୁ ଦୂରେଇ ରହିବାର ଦୁଃଖକୁ ଏହି ଫିଲ୍ମରେ ସାମିଲ କରାଯାଇଥିଲା।
*ଲଗାନ: ଅମିର ଖାନଙ୍କ ଫିଲ୍ମ ‘ଲଗାନ’କୁ କେହି ଭୁଲିପାରିବେ ନାହିଁ। ଏହି ଫିଲ୍ମରେ କ୍ରିକେଟ ଜରିଆରେ ଦେଶଭକ୍ତି ପାଇଁ ଥିବା ଆବେଗକୁ ଦର୍ଶାଯାଇଥିଲା। ସେହି ସମୟରେ ଏହି ଫିଲ୍ମ କେବଳ ଦେଶ ନହେଁ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ଅମିର ଖାନଙ୍କ ସହ ଅନ୍ୟ କଳାକାରମାନେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ଏହି ଫିଲ୍ମକୁ ଦେଖିଲେ ଆଜି ବି ଦେଶଭକ୍ତିର ଭାବନା ଜାଗ୍ରତ ହୋଇଥାଏ।

Share