ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ରେ କିର୍ତ୍ତି ବଲିଉଡ୍‌ ଏଣ୍ଟ୍ରି ମାରିବେ। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏହା ଜଣେ ଫୁଟବଲ କୋଚ୍‌ଙ୍କ ବାୟୋପିକ୍‌ ବୋଲି ଜଣାପଡିଛି। ଫୁଟବଲ କୋଚ୍‌ ସୈୟଦ ଅବଦୁଲ ରହିମଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ନିର୍ମାଣ କରାଯାଉଛି। ଫୁଟବଲର ସ୍ବର୍ଣ୍ଣିମ ଯୁଗ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତର କାହାଣୀକୁ ଏଥିରେ ସ୍ଥାନିତ କରାଯାଇଛି। ଏଥିରେ କିର୍ତ୍ତି ସୁରେଶ, ସୈୟଦ ଅବଦୁଲ ରହିମଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟ ଲୁକ୍‌କୁ କିର୍ତ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଆଉ ଏହାସହ କ୍ୟାପଶନ ଲେଖିଛନ୍ତି, ମୈଦାନର ଶୁଟିଂ ପାଇଁ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ, କାହିକିନାଁ ଏହି ଫିଲ୍ମ ପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ଅନୁଯାୟୀ, ବେଶ୍‌ କିଛିଦିନ ହେବ ଏହି ଫିଲ୍ମ ନିର୍ମାଣ କରାଯିବ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏବେ ଏଥିପାଇଁ କଳାକାର ମିଳିଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହାର ଶୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି।

Share