ବଲାଣିରୁ ଚାଲିବ ଟାଟା-ବଡବିଲ ପାସେଞ୍ଜର: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ପରିଦର୍ଶନ

କେନ୍ଦୁଝର , ୯ା୮ (ସ୍ବ.ପ୍ର) – ଅନେକ ବର୍ଷ ପରେ ବଲାଣି ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି। ଟାଟା- ବଡବିଲ ପାସେଞ୍ଜର ଟ୍ରେନ୍‌ ଅଳ୍ପ କିଛି ମାସ ମଧ୍ୟରେ ବଲାଣିରୁ ଖାଦାନ ଷ୍ଟେଶନରୁ ଚାଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ା ଗୁରୁବାର ଦକ୍ଷିଣ-ପୂର୍ବ ରେଳ ପଥର ମହାପ୍ରବନ୍ଧକ ଲଳିତ ଚନ୍ଦ୍ର ତ୍ରିବେଦୀ ବଲାଣି ଖାଦାନ ପରିଦର୍ଶନରେ ଆସିଥିବା ବଲାଣି ବିକାଶ ପରିଷଦର ପ୍ରତିନିଧି ଦଳଙ୍କୁ ଏହି ସୂଚନା ଦେଇଛନ୍ତି। ତ୍ରିବେଦୀ ନୂତନ ଭାବେ ଦକ୍ଷିଣ- ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବଲାଣି ଖାଦାନ ଷ୍ଟେଶନକୁ ଏହା ହେଉଛି ତାଙ୍କର ପ୍ରଥମ ପରିଦର୍ଶନ। ପରିଦର୍ଶନ ସମୟରେ ଦକ୍ଷିଣ- ପୂର୍ବ ରେଳ ପଥର ଚକ୍ରଧରପୁର ଡିଭିଜନର ଡିଆରଏମ ଛତ୍ରପାଲ ସିଂହଙ୍କ ସହ ଦକ୍ଷିଣ-ପୂର୍ବ ରେଳ ପଥର ଅନେକ ଉଚ୍ଚପଦାଧିକାରୀ ଉପସ୍ଥିତିରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବଲାଣି ଖାଦାନ ଷ୍ଟେଶନରେ ଓହ୍ଲାଇଥିଲେ। ପରେ ପ୍ରବନ୍ଧକ କାର୍ତ୍ତିକ ନାୟକ ଓ ପରିଦର୍ଶନକାରୀ ଦଳଙ୍କୁ ସ୍ବାଗତ କରିଥିଲେ ା ପରେ ବଲାଣି ଖଣିର ମହାପ୍ରବନ୍ଧକ ଅରୁଣ କୁମାର ମିଶ୍ର ବଲାଣି ଖଣିର ଲୋଡିଂ ପ୍ଲାଣ୍ଟ ପରିଦର୍ଶନ କରାଇଥିଲେ ା ଏହା ପରେ ବଲାଣି ବିକାଶ ପରିଷଦର ଆବାହକ ଶୁବାଶିଷ ନନ୍ଦ, ସଭାପତି ଲମ୍ବୋଦର ପଲେଇ, ସମ୍ପାଦକ ଶିବାଶିଷ ନନ୍ଦ ଏବଂ କମଳଲୋଚନ ମହାନ୍ତି ପ୍ରମୁଖ ତ୍ରିବେଦୀଙ୍କ ସହ ଟାଟା-ବଡବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣି ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ନେଇ ଆଲୋଚନା କରିବା ସହିତ ଦାବି ଉପସ୍ଥାପିତ କରିଥିଲେ। ତେବେ ଦକ୍ଷିଣ- ପୂର୍ବ ରେଳ ପଥ ପକ୍ଷରୁ ଟାଟା-ବଡବିଲ ପାସେଞ୍ଜର ଟ୍ରେନକୁ ଚଳାଚଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦେବା ସହିତ କିଛି ମାସରେ ଷ୍ଟେଶନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ ା