ବଲାଙ୍ଗୀର ଷ୍ଟେଶନରେ ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫- ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ରବିବାର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ କୋରାପୁଟ ଜିଲା ବୈପାରୀଗୁଡାର ରାଧା ଖର୍ରା(୨୦)। ତାଙ୍କର ବର୍ଷକର ଶିଶୁସନ୍ତାନ ଅଛି ।

ସୂଚନାନୁଯାୟୀ, ସକାଳେ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ତାଙ୍କ ଭଉଁଣୀ ରାଧା ଗୁରୁତର ଅସୁସ୍ଥ ହୋଇପଡିଥିବା ସୂଚନା ଦେଇଥିଲେ । ଟ୍ରେନ ଭିତରେ ସେ ଛଟପଟ ହେଉଥିବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ପୋଲିସକୁ ଖବର ଦେଇଥିଲେ। ପୋଲିସ ଆର୍‌ପିଏଫ୍‌, ରେଳବାଇ ଥାନା ପୋଲିସ ଓ ମେଡିକାଲ ଟିମ୍‌କୁ ଖବର ଦେଇଥିଲେ। ମେଡିକାଲ ଟିମ୍‌ ଓ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ। ଷ୍ଟେଶନ ଭିତରେ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ରାଧା ନିଜ ପରିବାର ସହ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ଲକ୍‌ଡାଉନ ପୂର୍ବରୁ ତାଙ୍କ ସ୍ବାମୀ ବୈପାରୀଗୁଡାକୁ କୌଣସି କାମରେ ଆସିଥିଲେ। ଲକ୍‌ଡାଉନ ଯୋଗୁ ସେ ଆଉ ଆନ୍ଧ୍ରପ୍ରଦେଶ ଫେରିପାରି ନ ଥିଲେ। ଫଳରେ ରାଧା ନିଜର ଶିଶୁ ସନ୍ତାନ ସହ ସେଠାରେ ନିଜ ଭାଇଭାଉଜ ଓ ସମ୍ପର୍କୀୟଙ୍କ ସହ ରହିଯାଇଥିଲେ। ଶନିବାର ବିଶାଖାପାଟଣାରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରୁଥିବାବେଳେ ବାଟରେ ସେ ଅସୁସ୍ଥ ହୋଇପଡିଥିଲେ। ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚିବା ପରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହୋଇପଡିଥିଲା। ମେଡିକାଲ ଟିମ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ରାଧାଙ୍କ ମୃତଦେହକୁ ଭୀମଭୋଇ ମେଡିକାଲ କଲେଜ ଶବାଗାରକୁ ନିଆଯାଇଥିବା ଜଣାପଡିଛି । ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ମେଡିକାଲ ସୁବିଧା ନଥିବାରୁ ପ୍ରବାସୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଚର୍ଚ୍ଚା ହେଉଛି।