ବଲାଙ୍ଗୀର ମାଛ ବଜାରରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

ବଲାଙ୍ଗୀର ଅଫିସ,୧।୪-ବଲାଙ୍ଗୀର ଜିଲା ପ୍ରଶାସନ ଓ ଟାଉନ୍‌ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି। ହେଲେ ବୁଧବାର ବଲାଙ୍ଗୀର ରୁଗୁଡିପଡା ରାସ୍ତାକଡ଼ ମାଛ ବଜାରରେ ଲକ୍‌ ଡାଉନ୍‌ ନିୟମକୁ ଖୋଲାଖୋଲି ଭାବେ ମାଛ ବ୍ୟବସାୟୀ ଓ ଗ୍ରାହକମାନେ ଉଲଙ୍ଘନ କରୁଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ପୋଲିସ ପକ୍ଷରୁ ମାଛ ବଜାରରେ ଭିଡ କମାଇବା ତଥା ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚୁନ ପକାଇ ମାର୍କିଂ କରାଯାଇଥିଲା। ଉକ୍ତ ମାର୍କିଂ ଭିତରେ ରହି ଲୋକେ ମାଛ, ମାଂସ କିଣିପାରିବେ ବୋଲି ପୋଲିସ ପକ୍ଷରୁ ଲୋକଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ ବଜାରରେ ମାଛ ନେବା ପାଇଁ ମୁହଁକୁ ମୁହଁ ଯୋଡି ଛିଡା ହୋଇଥିଲେ ଗ୍ରାହକ। ସାମାଜିକ ଦୂରତା ଭୁଲି ମାଛ ବଜାରରେ ପୂର୍ବ ଭଳି ଭିଡ ଦେଖିବାକୁ ମିଳିଥିଲା। ଗୋଟିଏ ମାଛ ଦୋକାନ ସମ୍ମୁଖରେ ୧୦/୧୫ ଜଣ ଗହଳି କରି ଛିଡା ହୋଇଥିବା ଦେଖିବାକୁ ମିଲିଥିଲା। ପୋଲିସ ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ ଲୋକେ ସଚେତନତା ଉପରେ ଗୁରୁତ୍ୱ ଦେଉନାହାନ୍ତି। ଅନେକ ବ୍ୟକ୍ତି ଲକ୍‌ଡାଉନକୁ ନ ମାନି ବାହାରେ ବୁଲୁଥିବା ବେଳେ ମାଛ ବଜାରରେ ଅଯଥା ଭିଡ କରୁଛନ୍ତି।