ବଲାଙ୍ଗୀର ଜିଲାରେ କରୋନା ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି: ଲିଖିରିଆ, ତୁଷରା ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗୀର ଅଫିସ, ୧୮।୫: ବଲାଙ୍ଗୀର ଜିଲାରେ ପୁଣି ୨ ଜଣ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଜିଲାପାଳ ଅରିନ୍ଦମ ଡାକୁଆ ଏ ନେଇ ରବିବାର ରାତିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଭୟ ସଂକ୍ରମିତ ପ୍ରବାସୀ ସୁରଟ ଫେରନ୍ତା। ସେମାନେ ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ବନ୍ଧପଡା ପଞ୍ଚାୟତର ବାସିନ୍ଦା। ଉଭୟେ ସୁରଟ୍‌ରୁ ଫେରିବା ଦିନରୁ ବନ୍ଧପଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ରବିବାର ସେ ଦୁହିଁଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାରେ କରୋନା ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଶନିବାର ବଲାଙ୍ଗୀର ସହର ସୁଦପଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଦୁଇ ସୁରଟ୍‌ ଫେରନ୍ତା ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ରବିବାର ବନ୍ଧପଡା କ୍ୱାରାଣ୍ଟାଇନ ସେଣ୍ଟରର ଏହି ୨ଜଣ ସୁରଟ ଫେରନ୍ତା ପ୍ରବାସୀ କରୋନା ସଂକ୍ରମିତ ବୋଲି ଜଣାପଡିଛି। ଗତ ୧ ତାରିଖ ଗୁଡଭେଲା ବ୍ଲକ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ତାମିଲନାଡୁ ଫେରନ୍ତା ୨ ପ୍ରବାସୀ ଶ୍ରମିକ ଜିଲାର ପ୍ରଥମ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଲିଖିରିଆ ଗଁାର ଏହି ଦୁଇ ସଂକ୍ରମିତ ପ୍ରବାସୀ ଭୁବନେଶ୍ୱର କିମ୍‌ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜିଲାପାଳ ଡାକୁଆ ଆହୁରି ସୂଚନା ଦେଇଛନ୍ତି ଯେ, ଲିଖିରିଆ ଓ ଆଖପାଖ ଅଞ୍ଚଳରେ ଗତ ୧ ତାରିଖରୁ ଲଗାଯାଇଥିବା କଣ୍ଟେନମେଣ୍ଟକୁ ରବିବାର ମଧ୍ୟରାତ୍ରରୁ ଉଠାଇ ଦିଆଯାଉଛି। ଦୀର୍ଘ ୧୭ ଦିନ ଧରି ଲିଖିରିଆ ଗଁା ସହ ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଲକ୍‌ ଓ ଦେଓଗଁା ବ୍ଲକର ୨୨ଟି ଗଁାକୁ ନେଇ କଣ୍ଟେନମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ ଘୋଷଣା କରାଯାଇ ଅଞ୍ଚଳକୁ ଶଟ୍‌ଟାଉନ୍‌ କରାଯାଇଥିଲା। ଦୁଇ ସଂକ୍ରମିତ ଯୁବକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଏହି ଅଞ୍ଚଳର ବିଭିନ୍ନ ଗଁାରୁ ଶତାଧିକ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେ ସମସ୍ତ ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବାରୁ ଏହି ଅଞ୍ଚଳରରେ ଜାରି କରାଯାଇଥିତ୍ବା କଣ୍ଟେନମେଣ୍ଟ ଜୋନ୍‌ ଓ ବଫର ଜୋନ୍‌କୁ ହଟାଇ ଦିଆଯାଇଛି। ରବିବାର ମଧ୍ୟରାତ୍ର ପରଠାରୁ ଏହି ଅଞ୍ଚଳର ଜନସାଧାରଣ, ବ୍ୟବସାୟୀ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ମାନି ଚଳିବେ ବୋଲି ଜିଲାପାଳ ଡାକୁଆ ସୂଚନା ଦେଇଛନ୍ତି।