Categories: ଖେଳ

ବଲବୀର ସିଂ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୫: ଭାରତୀୟ ହକି ଲିଜେଣ୍ଡ ବଲବୀର ସିଂ ଚଣ୍ଡିଗଡର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡକୁ ନିଆଯାଇଥିଲା। କିନ୍ତୁ ଶେଷରେ ଶନିବାର ତାଙ୍କୁ ଫୋର୍ଟିଜ ମୋହାଲିରେ ଭର୍ତ୍ତି କରାଯାଇଛି। ୧୯୪୮ ଲଣ୍ଡନ, ୧୯୫୨ ହେଲସିଙ୍କି ଓ ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ୩ଟି ଅଲିମ୍ପିକ୍ସରେ ଭାରତ ତରଫରୁ ପ୍ର୍‌ତିନିଧିତ୍ୱ କରି ବଲବୀର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଲିମ୍ପିକ୍ସ ଫାଇନାଲରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ତାଙ୍କ ନାମରେ ଏବେବି ଅତୁଟ ରହିଛି। ୧୯୫୨ ଅଲିମ୍ପିକ୍ସ ଫାଇନାଲରେ ଭାରତ ପ୍ରତିପକ୍ଷ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲା। ଏହି ନିର୍ଣ୍ଣାୟକ ମୁକାବିଲାରେ ସେ ୫ଟି ଗୋଲ ସ୍କୋର କରିଥିଲେ। ୧୯୭୫ ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୋଇଥିଲା। ଏହି ବିଶ୍ୱକପ୍‌ରେ ବଲବୀର ଭାରତ କୋଚ୍‌ ଦାୟିତ୍ୱ ସମ୍ପାଦନ କରିଥିଲେ। ପୁଣି ତାଙ୍କ ତତ୍ତ୍ୱାବଧାନରେ ଭାରତ ୧୯୭୧ ବିଶ୍ୱକପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲା।
ପୂର୍ବରୁ ତାଙ୍କୁ ୨୦୧୯ ଜୁଲାଇରେ ମଧ୍ୟ ଅସୁସ୍ଥତା କାରଣରୁ ଚଣ୍ଡିଗଡସ୍ଥିତ ପିଜିଆଇଏମ୍‌ଇଆରରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ସେତେବେଳେ ତାଙ୍କୁ ଦେଖା କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧୀ ହସ୍ପିଟାଲ ଗସ୍ତ କରିଥିଲେ।

Share