ବର୍ଷା ଛାଡ଼ିଲା, ବଢ଼ିବ ଥଣ୍ଡା; ୩ ଦିନ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୫।୧(ବ୍ୟୁରୋ)-ଗତ ଦୁଇଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଥଣ୍ଡା ପରିବେଶ ସୃଷ୍ଟି କରିଛି । ବର୍ଷା ଛାଡିଯାଇଥିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଛି। ଆସନ୍ତା ୬ ଓ ୭ ତାରିଖରେ ପାଗରେ ପରିବର୍ତ୍ତନ ହେବ। ଶୁଖିଲା ପାଗ ସାଙ୍ଗକୁ ସର୍ବନିମ୍ନ ପାରଦ ଆହୁରି ୪ରୁ ୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ବଣ ପାହାଡ଼ ଅଞ୍ଚଳରେ ପ୍ରବଳ ଥଣ୍ଡା ଦେହ ମୁଣ୍ଡ ଥରାଇ ଦେବ। ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ରବିବାର କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି ଜିଲାର କେତେକ ସ୍ଥାନରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ସୋମବାର ଓ ମଙ୍ଗଳବାର ଅନୁଗୋଳ, ଢେଙ୍କାନାଳ, ଜଗତ୍‌ସିଂହପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟରେ ଯାନବାହନ ଚଲାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି।
ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ବାଲେଶ୍ୱରରେ ୨୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୬.୯, କଟକ ୬.୨, ପାରାଦୀପ ୪.୪, ଭୁବନେଶ୍ୱର ୧୨.୩, ପୁରୀ ୨.୭, ଅନୁଗୋଳ ୧୨.୬, କେନ୍ଦୁଝର ୧୪.୮, ସୁନ୍ଦରଗଡ଼ ୪, ତାଳଚେର ୫୮, ବଲାଙ୍ଗୀର ୫, କୋରାପୁଟ ୩.୪, ଫୁଲବାଣୀ ୯.୪, ଟିଟିଲାଗଡ଼ରେ ୬ ମିଲିମିଟର ବର୍ଷା ହୋଇଛି। ବର୍ଷା ସତ୍ତ୍ୱେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ସୋମବାର ଠାରୁ ରାଜ୍ୟରେ ଶୀତ ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।