Categories: ଭଦ୍ରକ

ବର୍ଷାରେ ଭିଜିଲା ଅମଳ ଧାନ

ବନ୍ତ,୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଛି। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ଦାଉ ସାଧୁଛି। ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ବ୍ଲକର ଅର୍ଦ୍ଧାଧିକ ଚାଷଜମିରେ ଧାନ ଅମଳ ହୋଇପାରି ନାହିଁ। କେତେକ ସ୍ଥାନରେ ଚାଷୀମାନେ ଧାନ କାଟି କ୍ଷେତରେ ପକାଇଥିବାବେଳେ ଆଉ କେତେକ ଚାଷଜମିରୁ କଟା ଧାନ ଆଣି ଖଳାରେ ରଖିଛନ୍ତି। ଏପରି ସ୍ଥଳେ ଶୁକ୍ରବାରଠାରୁ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଛି। ସକାଳଠାରୁ ଝିପିଝିପି ବର୍ଷା ହେବା ସହ ପୂର୍ବାହ୍ନରୁ ଅଧିକ ବର୍ଷା ହୋଇଥିଲା। କ୍ଷେତରେ କଟାଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଚାଷୀମାନେ ଆପ୍ରାଣ ଚେଷ୍ଟା ଚଳାଇଥିଲେ। ମାତ୍ର ଖଳାକୁ ଅଣାଯାଇଥିବା ଅମଳ ଧାନ ବର୍ଷାରେ ଭିଜିଯାଇଛି। ଜମିରେ କଟା ଯାଇ ନ ଥିବା ଧାନ ଏବେ ଆଉ ଅମଳ ହୋଇପାରିବ ନାହିଁ ବୋଲି କେତେଜଣ ଚାଷୀ କହିଛନ୍ତି। ବାତ୍ୟାରେ ବହୁ ଚାଷଜମିରେ ଧାନ ଗଛଗୁଡ଼ିକ ଶୋଇପଡ଼ିଥିଲା। ଏବେ ବର୍ଷା ହେବା ଫଳରେ ତାହା ମାଟିରେ ଲାଗିଯାଇଛି। ଧାନ ଗଜା ହୋଇ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ପୂର୍ବରୁ ଅମଳ ହୋଇଥିବା ଧାନକୁ ଚାଷୀମାନେ ବିକ୍ରୟ ଉଦ୍ଦେଶ୍ୟରେ ମଣ୍ଡିରେ ରଖିଥିବା ବେଳେ ତାହା ଏବେ ବର୍ଷାରେ ଭିଜୁଛି। ଧାର୍ଯ୍ୟ ସମୟ ମଧ୍ୟରେ ମିଲରମାନେ ଧାନ ନେଇ ନ ଥିବାରୁ ମଣ୍ଡିରେ ଶତାଧିକ ଧାନ ବସ୍ତା ପଡ଼ିରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।