ବର୍ଷାରେ ଭାସିଗଲା ବାଉଁଶ ପୋଲ: ୨ ବ୍ଲକକୁ ଯୋଗାଯାଗ ବିଚ୍ଛିନ୍ନ

ରାଉରକେଲା ଅଫିସ,୧୮ା୬-ସୁନ୍ଦରଗଡ଼ ଜିଲା କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ସହ ରାଉରକେଲା ସହରକୁ ଯୋଡୁଥିବା ଅନ୍ୟତମ ଯୋଗାଯୋଗ ମାଧ୍ୟମ ବାଉଁଶ ପୋଲ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗୁରୁବାର ସକାଳେ ଭାସିଯାଇଛି। ପୋଲ ମଝି ଅଂଶରୁ ଏକ ବଡ଼ ଖଣ୍ଡ ଭାସି ଯାଇଥିବାରୁ ଉପରୋକ୍ତ ୨ ବ୍ଲକ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ଏହାର ବିକଳ୍ପ ଭାବେ ଲୋକେ ଡଙ୍ଗା ଉପରେ ହିଁ ନିର୍ଭର କରିବେ। ତେବେ ଭରା ନଈରେ ଶତାଧିକ ଲୋକ ଓ ଗାଡିକୁ ନାଉରିଆ କେମିତି ଡଙ୍ଗାରେ ପାର କରିବେ ତାକୁ ନେଇ ଚିନ୍ତା ବଢିଛି। ଯଦି କୌଣସି ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା
ରାଉରକେଲା ସେକ୍ଟର- ୨୦ ନିକଟ ବୈକୁଣ୍ଠ ଘାଟ କୋଏଲ ନଦୀ ଉପରେ ଖରାଦିନେ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଥାଏ। ଏହା ଉପରେ କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରତିଦିନ ନିର୍ଭର କରିଥାନ୍ତି। ବିଶେଷ କରି ପନିପରିବା ଚାଷୀ, କର୍ମଜୀବୀ ଓ ସହରକୁ ପାଠ ପଢିବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏହି ପୋଲ ଅତ୍ୟନ୍ତ ଉପଯୋଗୀ ଥିଲା। ଏବେ ପୋଲ ଭାସି ଯିବାରୁ ସେହି ଅଞ୍ଚଳବାସୀଙ୍କ ସମସ୍ୟା ବଢିଛି ା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭରା ନଦୀରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରିବା ସହଜ ହେବ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି।
ଆଜକୁ ପ୍ରାୟ ୬ବର୍ଷ ତଳେ ବୈକୁଣ୍ଠ ଘାଟରେ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ବିଭିନ୍ନ କାରଣରୁ ସେହି ବ୍ୟାରେଜ ନିର୍ମାଣ ହୋଇ ପାରି ନ ଥିଲା ା ଏହି ପ୍ରସଙ୍ଗ ନେଇ ବିରୋଧୀ ଦଳ ପକ୍ଷରୁ ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନ କରାଯାଇଛି ା ତଥାପି ପୋଲ ନିର୍ମାଣ ହୋଇପାରୁନି। ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଆସିଲେ ବାଉଁଶ ପୋଲ ନିର୍ମାଣ କରାଯାଉଛି ଓ ବର୍ଷା ଆସିଲେ ସେହି ପୋଲ ଭାସିଯାଉଛି। ଲୋକେ ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ତଥାପି ସମସ୍ୟା ଦୂର ହୋଇ ପାରୁନି। ଏ ନେଇ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଦୀର୍ଘବର୍ଷ ହେବ ଅଞ୍ଚଳବାସୀ ଏଭଳି ଦୁଃଖ ଭୋଗୁଛନ୍ତି। ଆଜି ଯଦି ବ୍ୟାରେଜ ନିର୍ମାଣ କରାଯାଇଥାନ୍ତା ତେବେ ଏଭଳି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡି ନ ଥାନ୍ତା। ପନିପରିବା ଚାଷ ପାଇଁ ସମଗ୍ର ଜିଲାରେ ସୁନାମ ଅର୍ଜନ କରିଥିବା ଏହି ୨ ବ୍ଲକର ଆହୁରି ଅଧିକ ବିକାଶ ହୋଇ ପାରିଥାନ୍ତା ବୋଲି ଓରାମ କହିଛନ୍ତି।