ବର୍ଷାଦିନିଆ ରୋଗକୁ ରୋକିବେ ପ୍ରଗତି ସାଥୀ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ବର୍ଷାଦିନରେ ଜଳ ବାହିତ ରୋଗ ତଥା ପରିମଳ ଜନିତ ରୋଗରୁ ରାଜଧାନୀକୁ ରକ୍ଷା କରିବା ଲାଗି ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ଯୋଜନାରେ ‘ପ୍ରଗତି ସାଥୀ’ ନାମରେ ୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ବିଶେଷ ଟ୍ରେନିଂ ଦିଆଯାଇଛି। ଏମାନେ ସହର ଭିତରେ ବିଭିନ୍ନ ବସ୍ତିଗୁଡିକ କିଭଳି ପରିଷ୍କାର ପରିଛନ୍ନ ରହିବ ତାକୁ ଦେଖିବେ ଓ ସାଧାରଣ ଲୋକଙ୍କୁ ସଚେତନ କରେଇବେ। ସଫା ସୁତୁରା ରହିବା ଦ୍ୱାରା ବର୍ଷା ଦିନିଆ ରୋଗ ସବୁରୁ ରକ୍ଷା ପାଇହେବ। ବିଶେଷ କରି ମ୍ୟାଲେରିଆ, ଡାଏରିଆ ଓ ଡେଙ୍ଗୁ ରୋଗକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ବିଏସ୍‌ସିଏଲ କର୍ତ୍ତୃପକ୍ଷ କହିଛନ୍ତି। ରୋଗ ବିଷୟରେ ପିପିଟି ମାଧ୍ୟମରେ ଜଣେଇବା ସହ ଲକ୍ଷଣଗୁଡିକ ବି ଜଣାଇ ଦିଆଯାଇଛି। ସେମାନେ ବସ୍ତି ବାସିନ୍ଦା ସଚେତନ କରେଇବେ ଯେ, ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ଯିବେ। ସତ୍ୟନଗର ଓ ଆଇଆରସି ଭିଲେଜ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ୬୦ ଜଣ ପ୍ରଗତି ସାଥୀଙ୍କୁ ଟ୍ରେନିଂ ଦିଆଯାଇଛି।