Categories: ଫୁରସତ

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ସାଂଘାଇ: ଚାଇନାର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଠାବ କରାଯାଇଛି। ଏହା ବିରଳରୁ ବିରଳତମ ଘଟଣା, ଯାହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଉଛି। ମାତୃଗର୍ଭରେ ଯମଜ ଯୋଡ଼ିହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ବିକଶିତ ହୋଇଥିଲା। ନ୍ୟୁରୋଲୋଜି ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ବର୍ଷକର ଶିଶୁକନ୍ୟାଠାରେ କେତେକ ସମସ୍ୟା ଦେଖାଦେବା ସହ ମୁଣ୍ଡ ବହୁତ ବଢ଼ିଯିବାରୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରୁ ଶିଶୁ ମସ୍ତିଷ୍କ ମଧ୍ୟରେ ଜନ୍ମ ହୋଇପାରି ନ ଥିବା ଯମଜ ସନ୍ତାନର ଭ୍ରୂଣ ବଢ଼ୁଥିବା ସାଂଘାଇ ଡାକ୍ତର ଜାଣିବାକୁ ପାଇଥିଲେ। କ୍ରମାଗତ ରକ୍ତ ସଞ୍ଚାଳନ ଯୋଗୁ ଭ୍ରୂଣ ଜୀବିତ ରହିବା ସହ ବିକଶିତ ହେଉଥିବା ଡାକ୍ତର କହିଛନ୍ତି। ଏହାକୁ ଫେଟସ୍‌-ଇନ୍‌-ଫେଟୁ ବା ପାରାସିଟିକ୍‌ ଟୁଇନ୍‌ କୁହାଯାଉଛି। ଗର୍ଭାବସ୍ଥା ଆରମ୍ଭରୁ ଏଭଳି ହୋଇଥାଏ। ପୁରୁଷ ଶୁକ୍ରାଣୁ ଏବଂ ମହିଳା ଡିମ୍ବାଣୁ ଗର୍ଭାଧାନ ପରେ ସେଲ୍‌ କ୍ଲଷ୍ଟର ସୃଷ୍ଟି ଯୋଗୁ ତାହା ଉପଯୁକ୍ତ ଭାବେ ଅଲଗା ହୋଇପାରେ ନାହିଁ। ଏହା ପରେ ପ୍ରଥମ ଭ୍ରୂଣ ଅନ୍ୟ ଦ୍ୱାରା ଆବୃତ୍ତ ହୋଇଯାଇ ଯୋଡ଼ା ଅଂଶ ମସ୍ତିଷ୍କରେ ବିକଶିତ ହୁଏ ବୋଲି ଅଧ୍ୟୟନରେ କୁହାଯାଇଛି। ୧୯୯୭ରେ ଜଣେ ୧୬ ବର୍ଷର ବାଳକ ପେଟରେ ଏଭଳି ଭ୍ରୂଣ ଠାବ ହୋଇଥିଲା। ୨୦୨୨ ନଭେମ୍ବରରେ ଝାଡ଼ଖଣ୍ଡର ଏକ ୨୧ ଦିନର ଶିଶୁ ପାକସ୍ଥଳୀରୁ ୮ଟି ଭ୍ରୂଣକୁ ବାହାର କରାଯାଇଥିଲା।

Share