ବର୍ଷକର ଦାନା ନେଇଗଲା ବୁଲ୍‌ବୁଲ୍‌

ମାର୍ଶାଘାଇ/ଆଳି, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଜିଲାରେ ଶୁକ୍ରବାର ଓ ଶନିବାର ୨ଦିନ ପବନ ଓ ବର୍ଷା ଲାଗି ରହିଥିଲା। ଏଥିଯୋଗୁ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପବନ ଯୋଗୁ ଧାନ ଗଛ ଥୋଡ଼ ଛିଣ୍ଡିଯାଇଥିବା ବେଳେ ଏବେ ବି ଚାଷ ଜମିରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ଆଉ ଦିନ କେଇଟା ପରେ ଫସଲ ଅମଳ ହେବାର ଥିବା ବେଳେ ଏହି ଅଦିନିଆ ଝଡ଼, ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଧାରଉଧାର କରି ଚାଷ କାର୍ଯ୍ୟ କରିଥିବା ଚାଷୀମାନେ ଋଣ ବୋଝ ଓ ପରିବାର ପାଇଁ ବର୍ଷକର ଖାଦ୍ୟ ଯୋଗାଡ଼ କରିବା ସକାଶେ ଚିନ୍ତାରେ ପଡ଼ିଛନ୍ତି।
ବ୍ଲକ ଅଞ୍ଚଳରେ ୮,୬୨୦ ହେକ୍ଟର ଜମିରେ ଶାରଦ ଧାନ ଚାଷ ହୋଇଥିଲା। ୨,୮୦୦ହେକ୍ଟର ଜମିରେ ରବି ଫସଲ ଯଥା- ଆଖୁ, ନଳିତା ଓ ପନିପରିବା ଆଦି ଚାଷ କରାଯାଇଥିଲା। ବୁଲ୍‌ବୁଲ୍‌ ପ୍ରଭାବରେ ମାର୍ଶାଘାଇ ଅଞ୍ଚଳରେ ୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ଚାଷଜମିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଶହଶହ ହେକ୍ଟର ଜମିରେ ଧାନଗଛ ପାଣିରେ ଭାସୁଛି। ଏଥିସହିତ ପନିପରିବା ଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ବିଲରୁ ପାଣି ନିଷ୍କାସନ କରା ନଗଲେ ବିଲରେ ଧାନଗଜା ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିସହ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ସେହିପରି ଆଳି ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ବ୍ୟାପକ ପସଲ ହାନି ଘଟିଛି। ଧାନ ବିଲରେ ଗଛ ସବୁ ଶୋଇ ରହିଥିବା ବେଳେ ବିଲରେ ପାଣି ଜମି ରହିଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତୁରନ୍ତ ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି। ବିଶେଷ କରି ମହୁ ଓ କୋଳିଡ଼ିହ ପଞ୍ଚାୟତର ଶତାଧିକ ଲୋକ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଧାନ ଚାଷ ସମେତ ମୁଗ, ବିରି ଆଦି ଫସଲ ବାତ୍ୟା ଉଜାଡ଼ି ଦେଇଛି ବୋଲି ଚାଷୀମାନେ କହିଛନ୍ତି। ବାତ୍ୟା ପାଇଁ ଆଗୁଆ ସୂଚନା ମିଳି ଥିଲେ ବି ଧାନ ପାଚି ନ ଥିବାରୁ ଅନେକେ ଚାଷୀ ଅମଳ କରିପାରି ନ ଥିଲେ। ପରିବାର ପ୍ରତିପୋଷଣ ଓ ଋଣ ଶୁଝିବା ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଆଳି ବ୍ଲକର ଅଟାଳ, ମାଣିକପାଟଣା, ନରେନ୍ଦ୍ରପୁର, ପତ୍ରପୁର, ଭୂଇଁପୁର, ଡିମିରିପାଳ ଆଦି ବିଭିନ୍ନ ପଞ୍ଚାୟତରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି।