ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର

ନୂଆଦିଲ୍ଲୀ, ୩୧ା୩:ଫୁଡ୍‌ ଡେଲିଭରି ଆପ୍‌ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଭାରତରେ ପ୍ରମୁଖ୍ୟ ଖାଦ୍ୟ ପାଲଟିଥିବା ଇଡ୍‌ଲି କେବଳ ହାଇଦ୍ରାବାଦ୍‌, ଚେନ୍ନାଇ କିମ୍ବା ବେଙ୍ଗାଲୁରୁରେ ସୀମିତ ନାହିଁ। ଏହାର ଲୋକପ୍ରିୟତା ଏବେ ସାରା ଦେଶରେ ବଢ଼ିଛି। ଫୁଡ୍‌ ଡେଲିଭରି ଆପ୍‌ ସ୍ବିଗିର ଏକ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଗତବର୍ଷ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର କରିଛନ୍ତି।
ହାଇଦ୍ରାବାଦ୍‌ର ଏହି ବ୍ୟକ୍ତି ଜଣକ ପାଖାପାଖି ୮,୪୨୮ ପ୍ଲେଟ୍‌ ଅର୍ଡର କରିଥିବା ରିପୋର୍ଟରେ ଦର୍ଶାଯାଇଛି। ବ୍ୟକ୍ତ ଜଣକ କେବଳ ନିଜ ପାଇଁ ନୁହେଁ ବରଂ ପରିବାର ଓ ବନ୍ଧୁଙ୍କ ପାଇଁ ସ୍ବିଗିରୁ ଇଡ୍‌ଲି ଅର୍ଡର କରିଛନ୍ତି। ମାର୍ଚ୍ଚ ୩୦ ବିଶ୍ୱ ଇଡ୍‌ଲି ଦିବସ ଅବସରରେ ସ୍ବିଗି ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୧୨ ମାସରେ ଏହି ଆପ୍‌ ଜରିଆରେ ମୋଟ ୩୩ ନିୟୁତ ପ୍ଲେଟ୍‌ ଇଡ୍‌ଲି ଡେଲିଭରି କରାଯାଇଛି। ୨୦୨୨ ମାର୍ଚ୍ଚ ୩୦ରୁ ୨୦୨୩ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଇଡ୍‌ଲି ଅର୍ଡରକୁ ନେଇ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀ, କୋଲକାତା, କୋଚି, ମୁମ୍ବାଇ, ପୁଣେ ଏବଂ ବିଶାଖାପାଟଣା ଭଳି ସହରରେ ଇଡ୍‌ଲିର ଚାହିଦା ବଢ଼ିଛି। ଅନ୍ୟପକ୍ଷେ ହାଇଦ୍ରାବାଦ୍‌, ବେଙ୍ଗାଲୁରୁ କୋଏମ୍ବୋଟୁର ଏବଂ ମୁମ୍ବାଇରୁ ଅଧିକାଂଶ ଅର୍ଡର ସକାଳ ୮ରୁ ୧୦ଟା ମଧ୍ୟରେ ଏବଂ ରାତ୍ରିଭୋଜନ ସମୟରେ ଆସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବହୁ ପ୍ରକାରର ଇଡ୍‌ଲି ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକରେ ଉପଲବ୍ଧ ଥିବାବେଳେ ସାଦା ଇଡ୍‌ଲି ଲୋକ ଅଧିକ ପସନ୍ଦ କରୁଛନ୍ତି। ରିପୋର୍ଟ ଅନୁସାରେ ମସଲା ଦୋସା ପରେ ଇଡ୍‌ଲି ଦ୍ୱିତୀୟ ସର୍ବାଧିକ ଅର୍ଡର କରାଯାଉଥିବା ବ୍ୟଞ୍ଜନ।

Share