Categories: ଜାତୀୟ

ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ପୁଅ ମୋହ ଯୋଗୁ ଆଜି ଦଳର ଏଭଳି ଅବସ୍ଥା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ କରିଛି। ଦେଶବ୍ୟାପୀ କଂଗ୍ରେସର ପ୍ରମୁଖ ନେତାମାନେ ଏହି ବୈଠକରେ ଯୋଗ ଦେଇ ପରାଜୟର କାରଣ ସମୀକ୍ଷା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃବରେ ପୁନଃ ତୃଣମୂଳସ୍ତରରରୁ ଦଳର ପୁନର୍ଗଠନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପନାମା ଗୃହୀତ ହୋଇଛି। ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି।
କଂଗ୍ରେସର ପରାଜୟ ପରେ ବିବ୍ରତ ହୋଇପଡିଥିବା ରାହୁଲ କହିଛନ୍ତି, ଯେଉଁ ରାଜ୍ୟ ଗୁଡିକରେ କଂଗ୍ରେସ କ୍ଷମତାରେ ଅଛି, ଦଳ ସେଠାରେ ବହୁତ ଖରାପ ପ୍ରଦର୍ଶନ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ସେମାନଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅଡି ବସିଥିଲେ। ମୁଁ ସେମାନଙ୍କ ଦାବି ସପକ୍ଷରେ ନ ଥିଲି ବୋଲି ସେ କହିଥିଲେ। ଦଳ କେମିତି ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେନେଇ କାହାର ଚିନ୍ତା ନ ଥିଲା। କେମିତି ପୁଅମାନେ ଟିକେଟ ପାଇବେ ସେନେଇ ନେତାଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା ବୋଲି ରାହୁଲ କହିଛନ୍ତି।

Share