‘ବରିଷ୍ଠ ନାଗରିକ ବୋଝ ନୁହନ୍ତି’

ଔପଦା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ହାଇସ୍କୁଲ ପଡ଼ିଆରେ ରମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ବରିଷ୍ଠ ନାଗରିକ ମଞ୍ଚର ୭ତମ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ ପରେ ଆବାହକ ମହେନ୍ଦ୍ର ପ୍ରସାଦ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଏବଂ ଅନ୍ୟତମ ବରେଣ୍ୟ ଅତିଥି ଜିଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, ସମ୍ପାଦକ ଲକ୍ଷ୍ମୀଧର ବେହେରା, ପୂର୍ବତନ ଆରକ୍ଷୀ ଅଧୀକ୍ଷକ ହରମୋହନ ଦାସ, ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ଗିରିଶ ଚନ୍ଦ୍ର ଦାଶ, ଔପଦା ବିଡିଓ ପୀତାମ୍ବର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ନାଗରିକମାନେ ଶିକାର ହେଉଥିବା ପାରିବାରିକ ଅବହେଳା ଓ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ବୋଝ ନୁହନ୍ତି ବରଂ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ପୁରସ୍ତମ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ଗୋପାଳ ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ। ଏହି ଖୋଲା ଅଧିବେଶନରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଔପଦା ଅଞ୍ଚଳର ବିକାଶ ବରିଷ୍ଠ ନାଗରିକ ମଞ୍ଚର ବଳିଷ୍ଠ ଆଭିମୁଖ୍ୟ ବରିଷ୍ଠ କର୍ମକର୍ତ୍ତାଗଣ ମତପ୍ରକାଶ କରିଥିଲେ।