ବରିଷ୍ଠ ନାଗରିକମାନେ ସମାଜର ପଥ ପ୍ରଦର୍ଶକ

ଟିଟିଲାଗଡ଼,୧୦।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘବର୍ଷ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ହାସଲ କରିଛି। ବିଧାୟିକା ଟୁକୁନୀ ସାହୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ମନ୍ତ୍ରିତ୍ୱ କାଳରେ ଟିଟିଲାଗଡର ଆଶାତୀତ ପ୍ରଗତି ହେବ। ଶନିବାର ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ମନ୍ତ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହି ଆଶାପୋଷଣ କରିଛି ବରିଷ୍ଠ ନାଗରିକ ମଞ୍ଚ। ମଞ୍ଚ ସଭାପତି ଅଶ୍ୱିନୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଡ. ଅଜାମ୍ବର ମଲ୍ଲ ସମସ୍ତ ଦିଗରେ ଟିଟିଲାଗଡ ଅଞ୍ଚଳର ବିକାଶ ନେଇ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ଟିଟିଲାଗଡ ଜିଲା ଦାବିକୁ ସାକାର କରିବା ପାଇଁ ସେ ଆହ୍ବାନ କରିଥିଲେ। ମନ୍ତ୍ରୀ ସାହୁ ସମ୍ବର୍ଦ୍ଧନାର ଉତ୍ତରରେ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ପିତୃତୁଲ୍ୟ, ସମାଜର ପଥ ପ୍ରଦର୍ଶକ। ତେଣୁ ସେମାନେ ତାଙ୍କ ଅଭିଜ୍ଞତା ଓ ଅନୁଭବକୁ ରାଷ୍ଟ୍ର ଗଠନରେ ବିନିଯୋଗ କରିବା ଆବଶ୍ୟକ। ଏହି ଅବସରରେ ମନ୍ତ୍ରୀ ସାହୁ ଆହୁରି କହିଥିଲେ ଯେ, ଖୁବ୍‌ଶୀଘ୍ର ଟିଟିଲାଗଡରେ ସରକାର ଏକ ପାଠାଗାର ନିର୍ମାଣ କରିବାକୁ ଯାଉଛନ୍ତି। ସାମାଜିକ କର୍ମୀ ଦୀପକ ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ ମଞ୍ଚାସୀନ ଥିଲେ।